ଦେବଗଡ଼,ଏନ୍ଏନ୍ଏସ୍: ତିଳେଇବଣି ବ୍ଲକ୍ ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ବିଧାୟକ ଓ ତାଙ୍କ ସହଯୋଗୀଙ୍କ ଦ୍ୱାରା ମରଣାନ୍ତକ ଆକ୍ରମଣ ଘଟଣାରେ ଖୋଦ ବିଜେପି ବ୍ଲକ୍ ଅଧକ୍ଷା ବୃନ୍ଦାବତୀ ଭୋଇ ଓ ଉପାଧ୍ୟାକ୍ଷା ଆରତୀ ପ୍ରଧାନ ଦୃଢ଼ ନିନ୍ଦା କରିବା ସହ ଅଭିଯୁକ୍ତ ବିଧାୟକ ଓ ସହଯୋଗୀଙ୍କୁ ୨୪ ଘଣ୍ଟା ମଧ୍ୟରେ ଗିରଫ ଦାବି କରିବା ସହ ଏ ମର୍ମରେ ଏକ ଦାବି ପତ୍ର ଜିଲ୍ଲାପାଳ ଓ ଏସପିଙ୍କୁ ପ୍ରଦାନ କରିଛନ୍ତି।
ଏଥିସହ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ହେଲେ ସମସ୍ତ ପିଆରଆଇ ମେମ୍ବର ତିଳେଇବଣି ବ୍ଲକକୁ ଅଚଳ କରିବେ ବୋଲି ଚେତାବନୀ ଦେଇଛନ୍ତି। ସେହିପରି ତିଳେଇବଣି ବ୍ଲକ ଟାଇଁସର ପଞ୍ଚାୟତର ବହୁ ବରିଷ୍ଠ ବିଜେପି କର୍ମୀ ଘଟଣାକୁ ନିନ୍ଦା କରିବା ସହ ବିଧାୟକଙ୍କ ପାଇଁ ଜିଲ୍ଲାରେ ବିଜେପି ନିନ୍ଦିତ ହେଉଥିବା ଅଭିଯୋଗ କରିଛନ୍ତି। ବିଧାୟକ ଓ ତାଙ୍କ ସମର୍ଥକଙ୍କୁ ନେଇ ବିଜେପି ଏବେ ଦୁଇଫାଳ ହୋଇଥିବା ବେଳେ ବିଜେପି ବିଧାୟକ ନିଜ ଦୋଷ ଲୁଚାଇବାକୁ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଦାଉ ସାଧୁଥିବା ଅଭିଯୋଗ କରିଛନ୍ତି।