ଶ୍ରୀଲଙ୍କାକୁ ଅତ୍ୟାବଶ୍ୟକ ସାମଗ୍ରୀ ପଠାଇବାକୁ ଚାହାନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ, କେନ୍ଦ୍ରକୁ ମାଗିଲେ ଅନୁମତି

ଚେନ୍ନାଇ,ଏଜେନ୍ସି: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍‌କେ୍ ଷ୍ଟାଲିନ୍ କେନ୍ଦ୍ର ସରକାରଙ୍କୁ ଥୁଥୁକୁଡି ବନ୍ଦରରୁ ଶ୍ରୀଲଙ୍କାରେ ରହୁଥିବା ତାମିଲମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ପଠାଇବା ପାଇଁ ଅନୁମତି ମାଗିଛନ୍ତି। ଷ୍ଟାଲିନ୍ କହିଛନ୍ତି ଯେ, ଶ୍ରୀଲଙ୍କା ଏବେ ଘୋର ଆଥିର୍କ ସଂକଟ ଦେଇ ଦିନ କାଟୁଛି। ତେଣୁ ସେଠାକାର ଲୋକଙ୍କୁ ସହାୟତା ଯୋଗାଇବାର ଆବଶ୍ୟକତା ରହିଛି।

ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଚିଠି ଲେଖି ଷ୍ଟାଲିନ କହିଛନ୍ତି ଯେ, ଗତ ମାର୍ଚ୍ଚ ୨୩ ତାରିଖରେ ଶ୍ରୀଲଙ୍କାର ଜଳସେନା ହାତରେ ଧରାପଡ଼ିଥିବା ୧୨ ଜଣ ମତ୍ସଜୀବୀଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାର ହସ୍ତକ୍ଷେପ କରନ୍ତୁ। ସେ କହିଛନ୍ତି ଯେ, କେନ୍ଦ୍ର ସରକାର ସେହି ମତ୍ସଜୀବୀଙ୍କୁ ଆଇନ ସହାୟତା ପ୍ରଦାନ କରନ୍ତୁ। ଏହା ଦ୍ୱାରା ସମସ୍ୟା ଶୀଘ୍ର ଦୂର ହେବ।

ମୁଖ୍ୟମନ୍ତ୍ରୀ ଷ୍ଟାଲିନ ମାର୍ଚ୍ଚ ମାସରେ ଦିଲ୍ଲୀ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶ୍ରୀଲଙ୍କାରେ ଆର୍ଥିକ ସଂକଟ ନେଇ ଚର୍ଚ୍ଚା କରିଥିଲେ। ଶ୍ରୀଲଙ୍କାର ତାମିଲମାନଙ୍କୁ ଆବଶ୍ୟକ ସାମଗ୍ରୀ ଓ ଔଷଧ ଦେବା ପାଇଁ ତାମିଲ ସରକାର ଆଗ୍ରହ କରୁଛି ବୋଲି କହିଥିଲେ।