ପଂଜାବରେ ଜୁଲାଇ ୧ରୁ ୩୦୦ ୟୁନିଟ ବିଦ୍ୟୁତ୍ ମାଗଣା, ମାନ୍ ସରକାର ଉପସ୍ଥାପନ କଲେ ୩୦ ଦିନର ରିପୋର୍ଟ କାର୍ଡ

ଚଣ୍ଡିଗଡ଼,ଏଜେନ୍ସି: ପଂଜାବରେ ଭଗୱନ୍ତ ମାନ୍ ସରକାରକୁ କ୍ଷମତାରେ ଆସିବା ଏକ ମାସ ହୋଇଛି । ଏହି ଅବସରରେ ରାଜ୍ୟ ସରକାର ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ଦେବାକୁ ଯାଇ ବଡ଼ ଘୋଷଣା କରିଛନ୍ତି । ସରକାର ଘୋଷଣା କରିଛନ୍ତି ଯେ, ରାଜ୍ୟର ପ୍ରତ୍ୟେକ ଘରକୁ ୩୦୦ ୟୁନିଟ ଯାଏଁ ବିଦ୍ୟୁତ୍ ମାଗଣାରେ ଯୋଗାଇବେ । ରାଜ୍ୟ ସରକାର ନିଜର ୩୦ ଦିନ କାର୍ଯ୍ୟକାଳର ରିପୋର୍ଟ କାର୍ଡ ଜାରି କରିଛନ୍ତି । ଏଥି ସହିତ ଖବରକାଗଜରେ ବିଜ୍ଞାପନ ଜରିଆରେ ଦାବି କରିଛନ୍ତି ଯେ, ଜୁଲାଇ ୧ ତାରିଖରୁ ପଂଜାବରେ ପ୍ରତ୍ୟେକ ପରିବାରକୁ ୩୦୦ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ ମାଗଣାରେ ଯୋଗାଇବେ । ମାତ୍ର ଏପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ନେଇ ଭଗୱନ୍ତ ମାନଙ୍କ ତରଫରୁ କୌଣସି ବୟାନ ଆସିନାହିଁ । ଏହା ପୂର୍ବରୁ ଭଗୱନ୍ତ ମାନ ଦାବି କରିଥିଲେ ଯେ, ଏପ୍ରିଲ ୧୬ ତାରିଖରେ ପଂଜାବର ଜନତାଙ୍କ ପାଇଁ ବଡ଼ ଘୋଷଣା ହେବ ।

ପଂଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ମଙ୍ଗଳବାର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ଭେଟିଛନ୍ତି । ଉଭୟ ନେତାଙ୍କ ବୈଠକ ଅରବିନ୍ଦଙ୍କ ଘର ଭିତରେ ହୋଇଛି । ସୂତ୍ର ଅନୁସାରେ ବୈଠକରେ କେଜ୍ରିୱାଲଙ୍କ ପ୍ରଥମ ଗ୍ୟାରେଣ୍ଟି ଭାବେ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ କେମିତି ଦିଆଯିବ । ଏହି ପ୍ରସଙ୍ଗରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଚର୍ଚ୍ଚା ହୋଇଛି । ପଂଜାବରେ ୩୦୦ ୟୁନିଟ ବିଦ୍ୟୁତ୍ ପ୍ରତ୍ୟେକ ଘରକୁ ମାଗଣାରେ ଦିଆଯିବା ପାଇଁ ଯୋଜନା ପ୍ରସ୍ତୁତି ହୋଇଯାଇଛି ଏବଂ ଏହାର ଖୁବ ଶୀଘ୍ର ଘୋଷଣା ହୋଇଯାଇପାରେ ।

ସୂଚନାଯୋଗ୍ୟ, ଗତ ୧୨ ତାରିଖରେ ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଓ ତାଙ୍କର ଦିଲ୍ଲୀ ସମକକ୍ଷ ଅରବିନ୍ଦ କେଜ୍ରିୱାଲଙ୍କ ମଧ୍ୟରେ ଏକ ସୌଜନ୍ୟମୂଳକ ସାକ୍ଷାତ ହୋଇଥିଲା । ଏହି ଭେଟ ନେଇ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଟୁଇଟ୍ କରି କହିଥିଲେ ଯେ, ଆମର ନେତା ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ସହିତ ବହୁତ ଭଲ ବୈଠକ ହୋଇଛି । ବହୁତ ଶୀଘ୍ର ପଂଜାବର ଲୋକଙ୍କୁ ଏକ ଭଲ ଖବର ଦେବି । ବୈଠକରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ ମନୀଷ ସିସୋଦିଆ ଏବଂ ପଂଜାବର ଅର୍ଥମନ୍ତ୍ରୀ ହରପାଳ ସିଂହ ଚୀମା ଉପସ୍ଥିତ ଥିଲେ ।