ମିସେସ ୟୁନିଭର୍ସ କାନାଡା ମୁକୁଟ ପିନ୍ଧିଲେ କୋରାପୁଟ ଝିଅ ମିତାଲି

ଭୁବନେଶ୍ବର,ଏନ୍ଏନ୍ଏସ୍: ଅନ୍ତର୍ଜାତୀୟ ପ୍ଲାଟଫର୍ମରେ ଚମକିଲେ କୋରାପୁଟ ଝିଅ ମିତାଲି ପଣ୍ଡା। ଶ୍ରୀମତୀ କାନାଡା ସୁନ୍ଦରୀ ଭାବେ ହେଲେ ସମ୍ମାନିତ। ବିଶ୍ବର ଅନେକ ସୁନ୍ଦରୀଙ୍କୁ ପଛରେ ପକାଇ ସାଜିଲେ ବିଉଟି ଅଫ କାନାଡା। ପ୍ରତିଯୋଗିତାର ବିଭିନ୍ନ ରାଉଣ୍ଡରେ ଭାଗ ନେଇ ଅନେକ ସୁନ୍ଦରୀଙ୍କୁ ପଛରେ ପକାଇ ଟାଇଟଲ ହାତେଇଛନ୍ତି ମିତାଲି। ଅନ୍ତର୍ଜାତୀୟ ପ୍ଲାଟଫର୍ମରେ ନିଜ ଦେଶକୁ ଉପସ୍ଥାପନା କରି ବେଶ ଖୁସି ଓ ଗର୍ବିତ ସେ। ବିଶ୍ବର ବଡ ସହରରେ ନିଜ ସ୍ବପ୍ନ ସାକାର ହୋଇଥିବା କୁହନ୍ତି କୋରାପୁଟ ଜୟପୁରର ମିତାଲି।

୨୦୨୧ ମିସେସ କରୱାଚୌଥ ଶୋ’ରେ ଜଜ ହେବା ପରେ ମିସେସ ୟୁନିଭର୍ସ କାନାଡା ପ୍ରତିଯୋଗିତାରେ ସାମିଲ ହେବାକୁ ମିତାଲିଙ୍କୁ ମିଳିଥିଲା ସୁଯୋଗ। ୨୦୧୮ ମିସେସ କରୱାଚୌଥ, ମିସେସ ରୟାଲ ଚଏସ ଆୱାର୍ଡ ୨୦୧୯ ମୁକୁଟ ପିନ୍ଧିବା ପରେ ଆରମ୍ଭ ହୋଇଥିଲା ଶ୍ରୀମତୀ ସୁନ୍ଦରୀଙ୍କ ଯାତ୍ରା। ଜୟପୁରରୁ ସ୍କୁଲ କଲେଜ ପଢା ପରେ କମ୍ପ୍ୟୁଟର ସାଇନ୍ସରେ ସ୍ନାତକ କରିଥିଲେ ମିତାଲି। ଦିଲ୍ଲୀ, ହାଇଦ୍ରାବାଦ ଓ ମୁମ୍ବାଇର ବିଭିନ୍ନ ଆଇଟି କମ୍ପାନୀରେ ଚାକିରୀ ସମୟରେ ସେ ମଡେଲିଂ ଆରମ୍ଭ କରିଥିଲେ।

୨୦୧୭ରେ ଜୟପୁରର ସନ୍ଦୀପ ବର୍ମାଙ୍କୁ ବିବାହ କରି କାନାଡା ଆସି ସେଠାରେ କ୍ୟାରିୟରକୁ ନ ଭୁଲି ଲାଗି ପଡ଼ିଥିଲେ। କିଛି ନୂଆ ଓ ଅଲଗା କରିବା ଲକ୍ଷ୍ୟ ନେଇ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢି ଚାଲିଛନ୍ତି ମିତାଲି।