ମିସେସ୍ ଇଣ୍ଡିଆ ଫାଇନାଲରେ ବ୍ରହ୍ମପୁରର ଶକ୍ତିସ୍ୱରୂପା

ବ୍ରହ୍ମପୁର, ଏନ୍ଏନ୍ଏସ୍ : ଜାତୀୟସ୍ତରର ସୁନ୍ଦରୀ ପ୍ରତିଯୋଗିତାର ଫାଇନାଲ ରାଉଣ୍ଡରେ ପହଞ୍ôଚଛନ୍ତି ବ୍ରହ୍ମପୁରର ଶ୍ରୀମତୀ ଶକ୍ତିସ୍ୱରୂପା ଦାସ। ଆସନ୍ତା ୧୨ ତାରିଖରେ କଲିକତାଠାରେ ହେବାକୁ ଥିବା ମିସେସ୍ ଇଣ୍ଡିଆ ୨୦୧୯ ଗ୍ରାଣ୍ଡ ଫିନାଲେରେ ଦେଖାଦେବେ ବ୍ରହ୍ମପୁରର ଶକ୍ତିସ୍ୱରୂପା। ମିଶନ ଡ୍ରିମସ୍ ଦ୍ୱାରା ଆୟୋଜିତ ଏହି ବିୟୁଟି ପିଜାଣ୍ଟ କଣ୍ଟେଷ୍ଟର ଟାଇଟଲ ରେସରେ ନିଜକୁ ସାମିଲ୍ କରିବାରେ ସଫଳ ହୋଇଛନ୍ତି ଏହି ୨୯ ବର୍ଷ ବୟସ୍କା ମହିଳା। ବ୍ରହ୍ମପୁରର ସ୍ୱନାମଧନ୍ୟ ସାମ୍ବାଦିକ ତଥା ପ୍ରେସ୍ କ୍ଲବର ପୂର୍ବତନ ସଭାପତି ସ୍ୱର୍ଗତ ଜୟବର୍ଦ୍ଧନ ଦାସ ଏବଂ ମିନତୀ ତ୍ରିପାଠୀଙ୍କ ସେ କନ୍ୟା ଏବଂ ମାନସକୁମାର କରଙ୍କ ଧର୍ମପତ୍ନୀ। ଦୃଢ଼ ମନୋବଳ ଏବଂ ପ୍ରତିଭା ଯୋଗୁଁ ସେ ଏହି ଜାତୀୟସ୍ତରର ପ୍ରତିଯୋଗିତାରେ ପ୍ରତିନିଧିତ୍ୱ କରିଛନ୍ତି। ସମାଜରେ ଜଣେ ବିବାହିତା ମହିଳାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ତାଙ୍କର ଉଦେଶ୍ୟ। ଏହି ଜାତୀୟସ୍ତରର ପ୍ରତିଯୋଗିତାରେ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ଶହ ଶହ ପ୍ରତିଯୋଗିଙ୍କୁ ପଛରେ ପକାଇ ସେ ଫାଇନାଲ ରାଉଣ୍ଡରେ ପହଂଚିଛନ୍ତି। ରେଶମ ସହରରୁ ପ୍ରତିନିଧିତ୍ୱ କରୁଥିବା ଏହି ମହିଳା ନିଶ୍ଚିତ ଭାବରେ ଏଠାରେ ସର୍ବଶ୍ରେଷ୍ଠ ବିବେଚିତ ହେବେ ବୋଲି ସହରବାସୀଙ୍କ ଆଶା ରହିଛି।