ଫୁଲବାଣୀ/ଖଜୁରିପଡା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସରକାରି ଶିଳ୍ପ ତାଲିମ ଅନୁଷ୍ଠାନ ପଛପଟେ ଜଣେ ନାବାଳିକା ବେକରେ ଲୁଗା ଦେଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ମୃତ୍ୟୁବରଣ କରିଥିବା ନାବାଳିକା ଜଣକ ୯ମ ଶ୍ରେଣୀରେ ପଢୁଥିବା ଓ ସେ ଗତ ପ୍ରାୟ କିଛି ବର୍ଷ ଧରି ପରିବାର ସାଙ୍ଗରେ ଏହି ସ୍ଥାନରେ ରହୁଥିବା ଜଣାଯାଇଛି। ସେ ଗତ ଗୁରବାରଠାରୁ ନିଖୋଜ ଥିଲେ। କିଛି ସ୍ଥାନୀୟ ଲୋକ ଖରାବେଳେ ସେହି ସ୍ଥାନକୁ ଶୌଚ ପାଇଁ ଯାଇଥିବା ବେଳେ ଏକ ଆମ୍ବ ଗଛରେ ନାବାଳିକାର ମୃତଦେହ ଝୁଳୁଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ।
ପରିବାର ଲୋକ ସେଠାରେ ପହଞ୍ଚିବା ପରେ ସଦର ଥାନାକୁ ଖବର ଦିଆଯାଇଥିଲା। ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ଓ ଏ.ଏସ୍.ଆଇ ଯୁଗଳ ବେହେରା ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଏନେଇ ସଦର ଥାନାରେ ଏକ ଅପମୃତ୍ୟୁ ମାମଲା ୭ା୨୨ରୁଜୁ ହୋଇଥିବା ସଦର ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁ ସୂଚନା ଦେଇଛନ୍ତି। ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନାହିଁ। ଗତ ୪ ଦିନ ହେଲା ନିଖୋଜ ହୋଇଥିବା ବେଳେ କେବେ ନାବାଳିକା ଜଣକ ଏଭଳି ପଦକ୍ଷେପ ନେଇଛନ୍ତି ତାହା ବ୍ୟବଚ୍ଛେଦ ରିପୋର୍ଟ ପ୍ରକାରେ ଜଣାପଡ଼ିବ ବୋଲି କୁହାଯାଇଛି।