ଦେବଗଡ଼ର ଅପହୃତା ନାବାଳିକାକୁ ପଶ୍ଚିମବଙ୍ଗରୁ ଉଦ୍ଧାର କଲା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ

ଦେବଗଡ଼,ଏନ୍ଏନ୍ଏସ୍: କଲେଜରୁ ଫେରିବା ବାଟରେ ଗତ ୧୩ ତାରିଖ ଦିନ ଦେବଗଡ଼ ପୌରାଞ୍ଚଳହ ଜଣେ ନାବାଳିକା ନିଖୋଜ ହେବାପରେ ଆଜି ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରୁ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଗତ ୧୩ ତାରିଖ ଦିନ ଦେବଗଡ଼ ପୌରାଞ୍ଚଳର ଜଣେ କଲେଜ ଛାତ୍ରୀ କଲେଜରୁ ନିଜ ଘରକୁ ଫେରିନଥିଲେ। ପରିବାର ଲୋକେ ବହୁ ଖୋଜିଲା ପରେ ମଧ୍ୟ କୌଣସି ସନ୍ଧାନ ନପାଇବାରୁ ଦେବଗଡ଼ ଥାନାରେ ଏନେଇ ଅଭିଯୋଗ କରିଥିଲେ। ତେବେ ପୁଲିସ ୧୬ ତାରିଖ ପର୍ଯ୍ୟନ୍ତ ଘଟଣାର ତଦନ୍ତରେ କୌଣସି ଆଗ୍ରହ ପ୍ରକାଶ ନକରିବାରୁ ନାବାଳିକାର ପିତା ଏନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କୁ ସହଯୋଗ ପାଇଁ ଅନୁରୋଧ କରିଥିଲେ। ଶ୍ରୀ ମହାପାତ୍ର ଘଟଣାର ତୁରନ୍ତ ତଦନ୍ତ ଆରମ୍ଭ କରି ନାବାଳିକା ଜଣକ ପଶ୍ଚିମବଙ୍ଗ ନଦିଆ ଜିଲ୍ଲାରେ ଥିବା ଜାଣିବାକୁ ପାଇଥିଲେ। ଉକ୍ତ ଅଞ୍ଚଳରୁ ଆସି ଦେବଗଡ଼ରେ ରାଜମିସ୍ତ୍ରୀ କାମ କରୁଥିବା ସେହେରୁଲ ବିଶ୍ୱାସ ନାମକ ଯୁବକ ନାବାଳିକାକୁ ଅପହରଣ କରିଥିବା ଜଣାପଡ଼ିଥିଲା। ଫଳରେ ପଶ୍ଚିମବଙ୍ଗ ଚାଇଲ୍ଡଲାଇନ ସହାୟତାରେ ଆଜି ଅପହୃତ ନାବାଳିକାକୁ ସେହେରୁଲର ଘରୁ ଉଦ୍ଧାର କରାଯାଇ ଶିଶୁ ମଙ୍ଗଳ ସମିତି ନିକଟରେ ହାଜର କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି।