ନାବାଳିକାର ମୃତଦେହ ଉଦ୍ଧାର: ହତ୍ୟାକାରୀ ବାପା ଗିରଫ

କୋରାପୁଟ,ଏନ୍ଏନ୍ଏସ୍ : ପଟ୍ଟାଙ୍ଗି ପୁଲିସ୍ ଦେଓମାଳି ପର୍ବତ ନିକଟରୁ ଜଣେ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରି ଘଟଣାରେ ସମ୍ପୃକ୍ତ ଥିବା ହତ୍ୟାକାରୀ ବାପା ଓ ଅନ୍ୟ ଜଣେ ସହଯୋଗୀକୁ ଗିରଫ କରିଛି। ଏନେଇ ସୁନାବେଡ଼ା ଏସଡିପିଓ ନିରଞ୍ଜନ ବେହେରା ସୂଚନା ଦେଇଛନ୍ତି। ମିଳିଥିବା ରିପୋର୍ଟ ମୁତାବିକ, ପଟ୍ଟାଙ୍ଗି ଥାନା ଟାଉପଦର ଗ୍ରାମର ବାଙ୍ଗରୁ ପାଙ୍ଗିଙ୍କ ଝିଅ ନିଶାମଣି(୬)କୁ ୨୧ ତାରିଖରୁ କେହି ଅପହରଣ କରିଥିବା ୨୪ ତାରିଖରେ ଅଭିଯୋଗ କରିଥିଲେ। ପଟ୍ଟାଙ୍ଗି ପୁଲିସ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରଥିଲା।ବାଙ୍ଗୁରୁ ଉପରେ ସନ୍ଦେହ କରି ପୁଲିସ ପଚରାଉଚୁରା କରିଥିଲା। ପୁଲିସର ବାରମ୍ବାର ଜେରା ପରେ ସେ ଝିଅକୁ ହତ୍ୟା କରିଥିବା କଥା ପୁଲିସ୍ ନିକଟରେ ସ୍ୱୀକାର କରିଥିବା ଏସଡିପିଓ ସୂଚନା ଦେଇଛନ୍ତି। ଝିଅ ନିଶାମଣି ପାଠପଢ଼ାରେ ଧ୍ୟାନ ନଦେଇ ଅନେକ ସମୟ ଖେଳକୁଦରେ କାଟୁଥିବାରୁ ବିରକ୍ତି ହୋଇ ସେ ଝିଅର କାନମୁଣ୍ଡାରେ ଏକ ଚାପୁଡ଼ା ମାରିଥିଲା। ଆଉ କାନମୁଣ୍ଡାରେ ଗଭୀର ଆଘାତ ଲାଗିବାରୁ ଝିଅର ମୃତ୍ୟୁ ହୋଇଥିଲା। ଘଟଣାରେ ଭୟଭୀତ ହୋଇ ସେ ଗ୍ରାମର ଅନ୍ୟ ଜଣେ ବ୍ୟକ୍ତିର ସହାୟତାରେ ନିଶାମଣିର ମୃତଦେହ ଏକ ଜରି ଅଖାରେ ଭର୍ତ୍ତି କରି ରାତାରାତି ଦେଓମାଳି ପାହାଡ଼ ନିକଟରେ ପୋତି ଦେଇଥିଲା ବୋଲି ବାଙ୍ଗରୁ ପୁଲିସକୁ କହିଥିଲା। ପୁଲିସ ଅଭିଯୁକ୍ତର ବୟାନ ଅନୁଯାୟୀ ଦେଓମାଳି ପାହାଡ଼ ତଳେ ଏକ ସ୍ଥାନରେ ଖୋଳି ନିଶାମଣିର ମୃତଦେହ ପାଇଥିବା ଏସଡିପିଓ କହିଛନ୍ତି।