ପ୍ଲାଜମା ଦାନ ନିମନ୍ତେ ସଚେତନତା ସୃଷ୍ଟି କରିବା ପାଇଁ ମନ୍ତ୍ରୀଙ୍କ ପରାମର୍ଶ

ଦେବଗଡ଼, ଏନ୍ଏନ୍ଏସ୍: ରାଜ୍ୟରେ କ୍ରମାଗତ ଭାବେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଏଥିପାଇଁ ଟୀକା ଆବିଷ୍କାର ହୋଇନାହିଁ । ବର୍ତ୍ତମାନ କରୋନା ଚିକିତ୍ସାରେ ପ୍ଲାଜମା ଥେରାପିକୁ ସଫଳତା ମିଳିଥିବାବେଳେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କଠାରୁ ପ୍ଲାଜମା ସଂଗ୍ରହ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତ୍ୟେକ ଜିଲ୍ଲାରେ ଜଣେ ଜଣେ ମନ୍ତ୍ରୀଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଦେବଗଡ଼ ଜିଲ୍ଲା ଦାୟିତ୍ୱରେ ଥିବା ମହିଳା, ଶିଶୁ ଓ ମିଶନଶକ୍ତି ବିଭାଗର ମନ୍ତ୍ରୀ ଟୁକୁନୀ ସାହୁ ଦେବଗଡ଼ ଜିଲ୍ଲା ଗସ୍ତ କରିଛନ୍ତି। ସ୍ଥାନୀୟ ସର୍କିଟହାଉସ ଠାରେ ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ମହୋନ ସାମଲ, ଅତିରିକ୍ତ ଜିଲ୍ଲାପାଳ, ଧରମ ହାଂସଦା, ଉପଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ, ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ ଡାକ୍ତର ମନୋଜ କୁମାର ଉପାଧ୍ୟାୟ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କରି ଜିଲ୍ଲାରେ କୋଭିଡ ପରିଚାଳନା ସମ୍ପର୍କରେ ଆଲୋଚନା କରିବାସହ ଜିଲ୍ଲାରେ କରୋନାରୁ ସୁସ୍ଥ ହୋଇଥିବା ୬୯ ଜଣ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରି ପ୍ଲାଜମା ପ୍ରଦାନ ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ।