ଖପ୍ରାଖୋଲ,ଏନ୍ଏନ୍ଏସ୍: ରାଜ୍ୟ ସରକାରଙ୍କ ଦ୍ୱାରା ନିକଟରେ କାର୍ଯ୍ୟକାରୀ ହୋଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ ଖପ୍ରାଖୋଲ ବ୍ଲକରେ ଶୁଭାରମ୍ଭ କରାଯାଇଛି। ରାଜ୍ୟ ବିଜ୍ଞାନ କାରିଗରୀ କୌଶଳ, ସାଧାରଣ ଉଦ୍ୟୋଗ ତଥା ସାମାଜିକ ନିରାପା ବିଭାଗ ମନ୍ତ୍ରୀ ଅଶୋକ ପଣ୍ଡା ଖପ୍ରାଖୋଲ ବ୍ଲକରେ ଏହି ସ୍ମାର୍ଟ କାର୍ଡ ବଂଟନର ଶୁଭାରମ୍ଭ ବୁଧବାର କରିଥିଲେ।
ପୂର୍ବାହ୍ନରେ ମନ୍ତ୍ରୀ ଖପ୍ରାଖୋଲ ସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ପହଞ୍ଚି ଥିଲେ। ସେଠାରେ ଇନ୍ଦ୍ରମଣୀ ସାହୁ, ନରେନ୍ଦ୍ର ଭୋଇ, ବିକାଶ ଦାଶ, ବଳରାମ ବାରିକ, ନୃପ ନାଗ ପ୍ରମୁଖ ବହୁ ଦଳୀୟ କର୍ମୀ ଉପସ୍ଥିତ ରହି ତାଙ୍କୁ ସ୍ୱାଗତ ଜଣାଇଥିଲେ। ପରେ ମନ୍ତ୍ରୀ ଶୋଭାଯାତ୍ରାରେ ଆସି ବ୍ଲକ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରଞ୍ଜନ ରାଉତ ଏବଂ ବ୍ଲକ କର୍ମଚାରୀ ମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ସିଡିପିଓ ସୁଜାତା ଦୋରା, ସ୍ମୃତିରେଖା ସାହୁ, ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାମାନେ ଉପସ୍ଥିତ ଥିଲେ। ବ୍ଲକ କାର୍ଯ୍ୟାଳୟ ପରିସରରେ ଭିଡିଓ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଟିଟିଲାଗଡର କାର୍ଯ୍ୟକ୍ରମର ସିଧାପ୍ରସାରଣ ମନ୍ତ୍ରୀ ଏବଂ ଅନ୍ୟମାନେ ଦେଖିଥିଲେ। ମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଯ୍ୟକାରିତା ଏବଂ ଏହାର ଉପକାରିତା ସମ୍ପର୍କରେ ତାଙ୍କ ବକ୍ତବ୍ୟରେ ସୂଚନା ଦେଇଥିଲେ। ସେଠାରେ ଉପସ୍ଥିତ ଥିବା କେତେକ ବ୍ୟକ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ବାର୍ଦ୍ଧକ୍ୟ ଭତ୍ତା ଓ ରାସନ କାର୍ଡରୁ ବଞ୍ଚିତ ହୋଇଥିବା ନେଇ ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ପରେ ମନ୍ତ୍ରୀ ଲୁହାସିଂହା ପଞ୍ଚାୟତର ଲୁହାସିଂହା ଉଚ୍ଚ ବିଦ୍ୟାଳୟ ଏବଂ ଦମେଇପାଲି ପଞ୍ଚାୟତର ଦମେଇପାଲି ଏମ୍ଇ ସ୍କୁଲ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିତାଧିକାରୀ ମାନଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ।
ଲୁହାସିଂହା ସରପଞ୍ଚ ରଞ୍ଜିତା ସୁନା, ଦମେଇପାଲି ସରପଞ୍ଚ ସାବିତ୍ରୀ ପଧାନ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରଞ୍ଜନ ରାଉତ କାର୍ଯ୍ୟକ୍ରମରେ ମଞ୍ଚାସୀନ ଥିଲେ। ଖପ୍ରାଖୋଲ ବ୍ଲକର ସମୁଦାୟ ୩୧ ହଜାର ୨୦୨ ଜଣ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ମିଲିବ ବୋଲି ଜଣାପଡିଛି। ଆସନ୍ତା ୨୩, ୨୪, ୨୫, ୨୬ ଚାରିଦିନ ଧରି ଖପ୍ରାଖୋଲ ବ୍ଲକର ବିଭିନ୍ନ ପଞ୍ଚାୟତରେ ଏନେଇ ପ୍ରଶାସନ ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ମନ୍ତ୍ରୀ ଅଶୋକ ପଣ୍ଡା ଏଥିରେ ଯୋଗଦେଇ କାର୍ଡ ବଣ୍ଟନ କରିବାର କାର୍ଯ୍ୟକ୍ରମ ରହିଛି।