ଦେବଗଡ଼,ଏନ୍ଏନ୍ଏସ୍: ଅଧିକ ରୋଜଗାର ଆଶାରେ ସାଜିଥିଲା ଦାଦନ । ରଜରେ ଘରକୁ ଫେରିବା ବାଟରେ ହୋଇଗଲା ନିଖୋଜ । ନିଖୋଜ ଯୁବକର ଖବର ନପାଇ ଲୁହ ଗଡା଼ଉଛି ଭଉଣୀ । ଏଭଳି ଚିତ୍ର ଦେବଗଡ଼ ଜିଲ୍ଲା କୁଣ୍ଢେଈଗୋଳା ଥାନା ନାତ୍ରୀପାଲି ଗ୍ରାମରେ ଦେଖିବାକୁ ମିଳିଛି । ମିଳିଥିବା ରିପୋର୍ଟ ମୁତାବକ, ନାତ୍ରୀପାଲି ଗ୍ରାମର ଶଙ୍କର ପ୍ରଧାନ ନିଜ ସ୍ତ୍ରୀ ପ୍ରେମ ପ୍ରଧାନକୁ ହତ୍ୟା ମାମଲାରେ ଜେଲରେ ଥିବାବେଳେ ତାଙ୍କ ୨ ପୁଅ ସୁରେଶ ଓ ସୁଶାନ୍ତ ଏବଂ ଏକମାତ୍ର ଝିଅ ସୁକାନ୍ତି ଅସହାୟ ହୋଇ କିଛିଦିନ କାଟିବା ପରେ ସାନ ଭାଇ ସୁଶାନ୍ତ ବିବାହ କରି ଅନ୍ୟତ୍ର ଚାଲି ଯାଇଥିଲା । ଏକମାତ୍ର ଭଉଣୀ ସୁକାନ୍ତି ଏବଂ ନିଜ ପ୍ରତିପୋଷଣ ପାଇଁ ବଡ଼ ଭାଇ ସୁରେଶ ଏଣେତେଣେ କାମ ଧନ୍ଧା କରି ଚଳୁଥିବାବେଳେ ନିଜ ପିଉସୀ ଉମା ଘଟୁଆଳ ଭଉଣୀ ସୁକାନ୍ତିକୁ ନିଜ ପାଖରେ ଆଶ୍ରୟ ଦେଇଥିଲେ । ଅନ୍ୟପଟେ ଉମା ଅତ୍ୟନ୍ତ ଗରିବ ହୋଇଥିବାରୁ ସୁକାନ୍ତିଙ୍କ ପ୍ରାଥମିକ ଶିକ୍ଷା ପରେ ବସ୍ତାନିରେ ଡୋରି ବାନ୍ଧିଥିଲେ । ସୁରେଶ କେତେକ ସାଙ୍ଗସାଥୀଙ୍କ ପ୍ରରୋଚନାରେ ଗତ କିଛି ମାସ ପୂର୍ବେ ଅଧିକ ରୋଜଗାର ପାଇଁ ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିଲା । ତେବେ ରଜରେ ନିଜ ଭଉଣୀ ଓ ପିଉସୀଙ୍କ ପାଇଁ ନୂଆ ଲୁଗାପଟା ସହ କେତେକ ସାଙ୍ଗଙ୍କ ସହ ସିକନ୍ଦରାବାଦରୁ ଟ୍ରେନ ଯୋଗେ ଭୁବନେଶ୍ୱର ଅଭିମୁଖେ ଆସୁଥିବାବେଳେ ରାତିରେ କୌଣସି ଏକ ଷ୍ଟେସନ ପରଠାରୁ ସୁରେଶ ଟ୍ରେନରୁ ଗାୟବ ହୋଇଯାଇଥିଲା । ସାଙ୍ଗରେ ଆସୁଥିବା ଅନ୍ୟ କେତେକ ଯୁବକ ଟ୍ରେନରେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇ ନଥିଲେ । ଅନ୍ୟପଟେ ଭାଇ ଓ ପୁତୁରାକୁ ଖୋଜିବା ପାଇଁ ସୁକାନ୍ତି ଓ ତାଙ୍କ ପିଉସୀ ଉମା ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ।