ନୂଆଦିଲ୍ଳୀ,ଏଜେନ୍ସି: ଲୋକସଭା ଓ ରାଜ୍ୟସଭା ଅଧିବେଶନର ସିଧା ପ୍ରସାରଣ ନିମନ୍ତେ ପୂର୍ବରୁ ପୃଥକ ଟିଭି ଚ୍ୟାନେଲ କାର୍ଯ୍ୟ କରୁଥିଲା। ତେବେ ଏହି ଦୁଇଟି ଚ୍ୟାନେଲର ସମ୍ମିଶ୍ରଣ ଘଟି ଏହାକୁ ସଂସଦ ଟିଭି ନାମରେ ନାମିତ କରାଯାଇଛି। ଏଣିକି ଦୁଇଟି ଗୃହର କାର୍ଯ୍ୟକ୍ରମର ସିଧା ପ୍ରସାରଣ ସମେତ ହିନ୍ଦୀ ଓ ଇଂରାଜୀରେ ଅନ୍ୟାନ୍ୟ ସମ୍ବାଦ ଓ ସାଂପ୍ରତିକ ଘଟଣାବଳୀକୁ ପ୍ରସାରଣ କରାଯିବ ବୋଲି ଜଣାପଡିଛି। କେନ୍ଦ୍ର ସରକାରଙ୍କ ପୂର୍ବତନ ବୟନ ସଚିବ ରାଜୀବ କପୁରଙ୍କୁ ସଂସଦ ଟିଭିର ସିଇଓ (ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ) ଭାବେ ନିଯୁକ୍ତ କରାଯାଇଛି। ସେ ଏକ ବର୍ଷ ପାଇଁ ଏହି ପଦରେ କାର୍ଯ୍ୟ କରିବେ ବୋଲି ଚୁକ୍ତିବଦ୍ଧ ହୋଇଛନ୍ତି। ଦୁଇଟି ଟିଭିର ସମ୍ମିଶ୍ରଣ ଘଟାଇବାକୁ ପ୍ରସାର ଭାରତୀ ସିଇଓ ସୂର୍ଯ୍ୟପ୍ରକାଶଙ୍କ ଅଧ୍ୟକ୍ଷତାରେ ଗଠିତ ବିଶେଷଜ୍ଞ କମିଟି ୨୦୧୯ରେ ଏକ ପ୍ରସ୍ତାବ ଦେଇଥିଲେ। ଅଧିକ ସଂଖ୍ୟକ ଦର୍ଶକ ଓ ବିଜ୍ଞାପନଦାତାଙ୍କୁ ଆକୃଷ୍ଟ କରିବାକୁ ବର୍ତ୍ତମାନ ସଂସଦ ଟିଭିର ପ୍ରସାରଣ ବିଷୟବସ୍ତୁରେ ବିବିଧତା ଆଣିବାକୁ ଯୋଜନା ପ୍ରସ୍ତୁତ କରାଯାଉଛି। ଏଣିକି ସଂସଦ ଟିଭିର ଦୁଇଟି ଚ୍ୟାନେଲରେ ଲୋକସଭା ଓ ରାଜ୍ୟସଭା ଅଧିବେଶନକୁ ପ୍ରସାରିତ କରାଯିବ। ଗୃହର ବିରତି ସମୟରେ ଗୋଟିଏ ଚ୍ୟାନେଲକୁ ବନ୍ଦ କରି ଅନ୍ୟ ଚ୍ୟାନେଲରେ ସମ୍ବାଦ ଓ ସାଂପ୍ରତିକ ଘଟଣାବଳୀକୁ ପ୍ରସାରଣ କରାଯିବ। ଏହାଦ୍ୱାରା ଖର୍ଚ୍ଚକାଟ୍ ହେବାସହିତ ଭିତ୍ତିଭୂମିର ଏକତ୍ରିକରଣ ହୋଇପାରିବ ବୋଲି କୁହାଯାଇଛି।