ରାଜ୍ୟ ଔଷଧ ନିଗମର ମହା ଦୁର୍ନୀତିର ନିରପେକ୍ଷ ତଦନ୍ତ ଦାବିରେ ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ

ଦେବଗଡ଼,ଏନ୍ଏନ୍ଏସ୍: କରୋନା ମହାମାରୀ ସମୟରେ ରାଜ୍ୟ ସରକାରଙ୍କ ଔଷଧ ନିଗମ ପକ୍ଷରୁ ମାକ୍ସ, ମ୍ୟାସିନ ଓ ପିପିଇ କିଟାରେ ହୋଇଥିବା ମହା ଦୁର୍ନୀତିର ନିରପେକ୍ଷ ତଦନ୍ତ ପାଇଁ ଦେବଗଡ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଆଜି ପୂର୍ବାହ୍ନରେ ଜିଲ୍ଲା କଂଗ୍ରେସ ସଭାପତି ଉମା ଶଙ୍କର ସାହୁଙ୍କ ନେତୃତ୍ୱରେ ଉପସଭାପତ ପ୍ରକାଶ ଚନ୍ଦ୍ର ଦେବତା, ମହିଳା କଂଗ୍ରେସ ସଭାନେତ୍ରୀ ମଞ୍ଜୁଲତା ନାୟକ, ସାଧାରଣ ସମ୍ପାଦକ କ୍ଷୀତିଶ କୁମାର ପ୍ରଧାନ ପ୍ରମୁଖ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଅତିରିକ୍ତ ଜିଲ୍ଲାପାଳ ଧରମ ହାଂସଦାଙ୍କୁ ପ୍ରଦାନ କରିଛନ୍ତି।

ଏହି ସ୍ମାରକ ପତ୍ରରେ ଔଷଧ ନିଗମ ପକ୍ଷରୁ ତାମିଳନାଡୁର ଏକ କମ୍ପାନୀକୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରି ଚଢା ଦରରେ ଲକ୍ଷ ଲକ୍ଷ ଟଙ୍କାର ମାକ୍ସ କିଣା ଦୁର୍ନୀତିର ତଦନ୍ତ ଦାବି କରିବା ସହ ଟେଷ୍ଟିଂ କିଟ, ରିଏଲ ଟାଇମ ପିସିଆର ମ୍ୟାସିନ ଓ ପିପିଇ କିଟ କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ଦର୍ଶାଯାଇଛି। ଏଥିସହ ଔଷଧ ନିଗମ ଆରସିଏମଆରର ରିପୋର୍ଟକୁ ଅଣଦେଖା କରି ର୍ୟାପିଡ କୋଭିଡ ଟେଷ୍ଟିଂ ମ୍ୟାସିନ କିଣିବା ପାଇଁ ଏକ ନିର୍ଦ୍ଧିଷ୍ଟ କମ୍ପାନୀକୁ କୋଟି କୋଟି ଟଙ୍କା ଅଗ୍ରୀମ ପ୍ରଦାନ କରିଥିବା ଏବଂ ରାଜ୍ୟରେ ଥିବା ଏମଏସଏମଇ ସଂସ୍ଥାମାନଙ୍କ ଠାରୁ ୨୦ ପ୍ରତିଶତ ଔଷଧ, ସାନିଟାଇଜର ଓ ମାସ୍କ ଆଦି ନକିଣି ଦୁର୍ନୀତିର ସୀମା ଲଂଘନ କରିଥିବା ଅଭିଯୋଗ ହୋଇଛି। ତେଣୁ ଏହାର ବିଧିବଧ ନିରପେକ୍ଷ ତଦନ୍ତ ପାଇଁ ଜିଲ୍ଲା କଂଗ୍ରେସ ପକ୍ଷରୁ ରାଜ୍ୟପାଳଙ୍କୁ ଏହି ସ୍ମାରକ ପତ୍ରରେ ଅନୁରୋଧ କରାଯାଇଥିବା ଜଣାପଡିଛି।