ଖଜୁରିପଡା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକ୍ର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ନିମନ୍ତେ ବୁଧବାର ନବୀନ ନିବାସରେ ୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କୁ ସାକ୍ଷାତ କରିଥିବା ବେଳେ ଏହି ଅବସରର ଖଜୁରିପଡ଼ା ବ୍ଲକ୍ ଅଧ୍ୟକ୍ଷା ସୁଶ୍ରି ଅନିମା କହଁର ଓ ବ୍ଲକ୍ ଉପାଧ୍ୟକ୍ଷ ଅମିତ୍ କୁମାର ଦିଗାଲ ସାକ୍ଷାତ କରି ବ୍ଲକ୍ର ବିଭିନ୍ନ ସୁବିଧା ଓ ଅସୁବିଧା ସମ୍ପର୍କରେ ଅବଗତ କରାଇବା ସହିତ ସହିତ ଏଦିଗରେ କିଭଳି ଭାବେ ପଦକ୍ଷେପ ନିଆଯାଇ ପାରିବ ସେ ଉପରେ ମଧ୍ୟ ଆଲୋଚନା କରିଥିଲେ।
ସେହିଭଳି ୫ଟି ଉପରେ ନିଜେ ସଚିବ ଅବଗତ କରାଇବା ସହିତ ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟକୁ ତଦାରଖ କରିବା ଉପରେ ମଧ୍ୟ ପରାମର୍ଶ ଦେଇଥିଲେ। ସେହିଭଳି ଖଜୁରିପଡ଼ା ବ୍ଲକ୍ରେ ମିଶନ ଶକ୍ତି ଯେଭଳି ଭାବେ ସଫଳ ହୋଇପାରିବ ସେ ଦିଗରେ ମଧ୍ୟ ଦୃଷ୍ଟିଦେବାକୁ ଏହି ସାକ୍ଷାତ ବେଳେ ପରାମର୍ଶ ଦିଆଯାଇଛି।
ଆଜି ୫ଟି ସଚିବଙ୍କୁ କନ୍ଧମାଳ ଜିଲାରେ ବିଜେଡ଼ି ଦଳ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଗଠନ ହୋଇଥିବା ଫିରିଙ୍ଗିଆ, ରାଇକିଆ , ତୁମୁଡ଼ିବନ୍ଧ, ଦାରିଙ୍ଗବାଡ଼ି, ଖଜୁରିପଡ଼ା, ଜି. ଉଦୟଗିରି, ଟିକାବାଲି, ବାଲିଗୁଡ଼ା, ଚକାପାଦ ଓ କ. ନୂଆଗାଁ ବ୍ଲକ୍ର ଉଭୟ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ମାନେ ସାକ୍ଷାତ କରିଥିବା ବେଳେ ଫୁଲବାଣୀ ବ୍ଲକ୍ର କେବଳ ଅଧ୍ୟକ୍ଷ ଓ କୋଟଗଡ଼ ବ୍ଲକ୍ର କେବଳ ଉପାଧ୍ୟକ୍ଷ ସାକ୍ଷାତ କରିଥିଲେ। ପ୍ରକାଶ ଯେ, କନ୍ଧମାଳ ଜିଲ୍ଲାର ୧୨ଟି ବ୍ଲକ୍ ମଧ୍ୟରୁ ଫୁଲବାଣୀ ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ବିଜେପି ହାତରେ ଥିବାବେଳେ କୋଟଗଡ଼ ବ୍ଲକ୍ର ଅଧ୍ୟକ୍ଷ ପଦବୀ କଂଗ୍ରେସ ହାତରେ ରହିଛି।