ବୃଦ୍ଧିପାଇବ ଭାରତୀୟ ନୌସେନାର ଶକ୍ତି, ଆମେରିକା ଯୋଗାଇବ ସ୍ୱତନ୍ତ୍ର ବନ୍ଧୁକ

ନୂଆଦିଲ୍ଲୀ, ଏଜେନ୍ସି: ଚୀନ୍ ସହ ସୀମା ବିବାଦ ଲାଗି ରହିଥିବା ବେଳେ ଭାରତ ଓ ଆମେରିକା ମଧ୍ୟରେ ପ୍ରତିରକ୍ଷା ସହଯୋଗ ଅଧିକ ବୃଦ୍ଧିପାଇଛି। ଭାରତୀୟ ନୌସେନାର ଶକ୍ତି ବୃଦ୍ଧି ଲାଗି ଆମେରିକା ମିଡିୟମ କାଲିବର ବନ୍ଧୁକ ଯୋଗାଇ ଦେବାକୁ ସମ୍ମତ ହୋଇଛି। ଏହି ମିଡିୟମ କାଲିବର ବନ୍ଧୁକକୁ ଭାରତୀୟ ନୌସେନାର ବିଶାଖାପାଟନମ୍-ଶ୍ରେଣୀ ଭଳି ବୃହତ ଆକାରର ଯୁଦ୍ଧ ଜାହାଜରେ ମୁତୟନ କରାଯିବ। ସରକାରୀ ସୂତ୍ରରୁ ପ୍ରକାଶ ଯେ ୧୨୭ ମିମି ମିଡିୟମ କାଲିବର ବନ୍ଧୁକ ଆମେରିକାର ବିଏଇ ସିଷ୍ଟମ ଦ୍ୱାରା ନିର୍ମିତ ହୋଇଛି। ଭାରତ ଏଭଳି ୧୧ଟି ବନ୍ଧୁକ କିଣିବା ଲାଗି ଆମେରିକା ସହ ଆଲୋଚନା କରିଛି। ଏଥିପାଇଁ ଦୁଇ ଦେଶମଧ୍ୟରେ ପ୍ରାୟ ୩୮୦୦ କୋଟି ଟଙ୍କାର ଏକ ଚୁକ୍ତି ସ୍ୱାକ୍ଷରିତ ହେବାକୁ ଯାଉଛି। ଏଗୁଡିକ ଶତ୍ରୁପକ୍ଷର ଆକ୍ରମଣରୁ ଜାହାଜକୁ ସୁରକ୍ଷା ପ୍ରଦାନ କରିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜରୁରୀକାଳୀନ ଆବଶ୍ୟକତା ମେଣ୍ଟାଇବାକୁ ଆମେରିକା ନୌସେନା ନିଜସ୍ୱ ଭଣ୍ଡାରରୁ ଏହି କାଲିବର ବନ୍ଧୁକ ପ୍ରଦାନ କରିବ। ଆମେରିକା ପ୍ରଶାସନକୁ ଭାରତ ପକ୍ଷରୁ ଲେଖାଯାଇଥିବା ଅନୁରୋଧ ପତ୍ର ଅନୁଯାୟୀ ଭାରତୀୟ ନୌସେନାକୁ ପ୍ରଥମେ ତିନି ବନ୍ଧୁକ ଆମେରିକା ନୌସେନାର ଷ୍ଟୋରରୁ ପ୍ରଦାନ କରିବା ଲାଗି କୁହାଯାଇଛି। ଏହା ଫଳରେ ଭାରତୀୟ ନୌସେନାରେ ଏହାକୁ ତତ୍କାଳ ମୁତୟନ କରାଯାଇପାରିବ। ଉଲ୍ଲେଖଯୋଗ୍ୟ ଆମେରିକା ଓ ଭାରତ ମଧ୍ୟରେ ପ୍ରତିରକ୍ଷା ସମ୍ପର୍କ କ୍ରମାଗତ ଦୃଢ ହେଉଛି।
ନିକଟରେ ଭାରତୀୟ ନୌସେନା ପକ୍ଷରୁ ଭାରତ ମହାସାଗରରେ ପହରା ଦେବା ଲାଗି ଆମେରିକାରୁ ଲିଜ୍ ସୂତ୍ରରେ ୨ଟି ପ୍ରିଡିଏଟର ଡ୍ରୋନ ସାମିଲ କରାଯାଇଛି। ଏହି ଡ୍ରୋନ ୩୦ ଘଣ୍ଟାରୁ ଅଧିକ ସମୟ ନଜର ରଖୁଥିବା ଡ୍ରୋନକୁ ଭାରତୀୟ ନୌସେନାର ଆଇଏନଏସ୍ ରାଜଲି ଏୟାର ବେସ୍ରେ ମୁତୟନ କରାଯାଇଛି। ଏହି ୨ଟି ପ୍ରିଡେଟର ଡ୍ରୋନ ନଭେମ୍ବର ମଧ୍ୟଭାଗରେ ଭାରତରେ ପହଞ୍ଚଥିଲା ଏବଂ ସେହିମାନ ତୃତୀୟ ସପ୍ତାହରେ ତାହା କାର୍ଯ୍ୟ କରିବା ଆରମ୍ଭ କରିଥିଲା। ସୂଚନାଯୋଗ୍ୟ ଚୀନ୍ ସହ ପ୍ରାୟ ୮ ମାସ ଧରି ସୀମା ବିବାଦ ଲାଗି ରହିଥିବା ବେଳେ ଆମେରିକାରୁ ମିଳିବାକୁ ଥିବା ଏହି ମାରଣାସ୍ତ୍ର ବେଶ୍ ସହାୟକ ହେବ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ ମତ ଦେଉଛନ୍ତି।