ମେଡିକାଲ ଅକ୍ସିଜେନ ପ୍ଲାଣ୍ଟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଆଜି ଚାପ ଅବଶୋଷଣ ପ୍ରଣାଳୀରେ ମେଡିକାଲ ଅକ୍ସିଜେନ ପ୍ଲାଣ୍ଟ (୬୦୦ଏଲପିଏମ)ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ଶିଳାନ୍ୟାସ କରିଛନ୍ତି। ଏହାଦ୍ୱାରା ୧୩ ହଜାର ଲିଟର କ୍ଷମତା ବିଶିଷ୍ଟ ତରଳ ମେଡିକାଲ ଅକ୍ସିଜେନ(ଏଲଏମଓ) ସଂରକ୍ଷଣ ଓ ବଣ୍ଟନ ବ୍ୟବସ୍ଥା ରହିବ। ମେଡିକାଲ କଲେଜ ଓ ହସ୍ପିଟାଲର ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ବିଭାଗ ନିକଟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ସ୍ୱାଗତ ଭାଷଣ ଦେଇଥିବା ବେଳେ କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ରଘୁରାମ ପଡାଲ ଯୋଗଦେଇ କୋରାପୁଟରେ ମେଡିକାଲ ଅକ୍ସିଜେନ ପ୍ଲାଣ୍ଟ କରାଯାଉଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ। ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଇଂ. ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, କଲେଜ ଡିନ ପ୍ରଫେସର ଡ. କୃଷ୍ଣଚନ୍ଦ୍ର ବିଶ୍ୱାଳ, ହସ୍ପିଟାଲ ଅଧୀକ୍ଷକ ପ୍ରଫେସର ଡ. ସୀତାରାମ ମହାପାତ୍ର, ଶିଶୁ ବିଭାଗ ମୁଖ୍ୟ ପ୍ରଫେସର ଡ. ଅରକ୍ଷିତ ସ୍ୱାଇଁ, ସ୍ତ୍ରୀ ଓ ପ୍ରସୂତି ବିଭାଗର ଡ. ଜଗଦୀଶ ବେହେରା, ହସ୍ପିଟାଲ ପ୍ରଶାସିକା ମଧୁମିତା ନାୟକ, କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ, ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଭବାନୀ ଶଙ୍କର କାଲୋ, କୋରାପୁଟ ପିଡବ୍ଲୁଡି ଡିଭିଜନର ସହକାରୀ ଯନ୍ତ୍ରୀ ଶରତ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ କୋରାପୁଟ ଡିଆରଡିଏର ଏପିଡି ହିମାଂଶୁ ଶତପଥୀ ଏବଂ ଓସ୍ୱାନର ଡିଜିଏମ ମନୋଜ ଦାସ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।