ସେନା ପଦକ ଘୋଷଣା : ୬ ଜଣଙ୍କୁ ସୌର୍ଯ୍ୟଚକ୍ର, ୧୦ ଜଣଙ୍କୁ ପରମ ବିଶିଷ୍ଟ ସେବା ପଦକ

ନୂଆଦିଲ୍ଲୀ,ଏଜେନ୍ସି: ୭୧ତମ ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ସେନା ପଦକ ଘୋଷଣା କରାଯାଇଛି। ୧୫୧ ଜଣ ଯବାନଙ୍କୁ ସେନା ପଦକ ଦିଆଯିବାକୁ ଘୋଷଣା ହୋଇଛି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ସୌର୍ଯ୍ୟଚକ୍ର, ୧୦ ଜଣଙ୍କୁ ପରମ ବିଶିଷ୍ଟ ସେବା ପଦକ, ୩୨ ଜଣଙ୍କୁ ଅତି ବିଶିଷ୍ଟ ସେବା ପଦକ ଏବଂ ୮ ଜଣଙ୍କୁ ଯୁଦ୍ଧସେବା ପଦକ ପ୍ରଦାନ କରାଯିବ। ଯେଉଁମାନେ ସୌର୍ଯ୍ୟଚକ୍ର ପାଇବେ ସେମାନେ ହେଲେ, ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ଜ୍ୟୋତି ଲାମା, ମେଜର କୋନଜେଙ୍ଗବାମ ବିଜେନ୍ଦ୍ର ସିଂହ, ନାଏବ ସୁବେଦାର ନରେନ୍ଦ୍ର ସିଂହ, ନାଏବ ସୁବେଦାର ସୋମବିର (ମରଣୋତ୍ତର), ନାଏକ ନରେଶ କୁମାର ଏବଂ ସିପାହୀ କର୍ମଦେଓ ଓରାମ। ଉଲ୍ଲେଖଯୋଗ୍ୟ ଏଥର ସୌର୍ଯ୍ୟଚକ୍ର ପାଇବାକୁ ମନୋନୀତ ହୋଇଥିବା ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ଜ୍ୟୋତି ଲାମା ମଣିପୁରରେ ଗୁଇନ୍ଦା ନେଟୱର୍କକୁ ଅତି ସୁଦୃଢ଼ କରି ନିଜର ଦକ୍ଷତା ପ୍ରତିପାଦନ କରିଥିଲେ।

୫୪ ଜଣଙ୍କୁ ଜୀବନରକ୍ଷା ପଦକ
ସାଧାରଣତନ୍ତ୍ର ଦିବସ ଅବସରରେ କୌଣସି ବିପଦରୁ ଅନ୍ୟର ଜୀବନ ବଞ୍ଚାଇଥିବା ୫୪ ଜଣଙ୍କୁ ଜୀବନରକ୍ଷା ପଦକ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ଏମାନଙ୍କ ମଧ୍ୟରେ ୭ ଜଣଙ୍କୁ ସର୍ବୋତ୍ତମ ଜୀବନରକ୍ଷା ପଦକ, ୮ ଜଣଙ୍କୁ ଉତ୍ତମ ଜୀବନରକ୍ଷା ପଦକ ଓ ୩୯ ଜଣଙ୍କୁ ଜୀବନରକ୍ଷା ପଦକ ପ୍ରଦାନ କରାଯିବ। ୧୯୬୧ରେ ଏହି ପଦକ ପ୍ରଦାନ ବ୍ୟବସ୍ଥା ଆରମ୍ଭ ହୋଇଥିଲା। କୌଣସି ଦୁର୍ଘଟଣାରୁ ବିଶେଷକରି ପାଣିରେ ବୁଡ଼ି ଯାଉଥିବାବେଳେ ବା ନିଆଁ କବଳରେ ପଡ଼ିଥିବା ଲୋକଙ୍କୁ ନିଜ ଜୀବନ ବିପନ୍ନ କରି ଉଦ୍ଧାର କରିଥିବା ବ୍ୟକ୍ତିଙ୍କୁ ଏହି ପଦକ ପ୍ରଦାନ କରାଯାଇଥାଏ। ଯେଉଁ ୭ ଜଣଙ୍କୁ ଏଥର ସର୍ବୋତ୍ତମ ଜୀବନରକ୍ଷା ପଦକ କରାଯାଉଛି ସେମାନଙ୍କ ମଧ୍ୟରେ ଅଛନ୍ତି, କେରଳର ଇପି ଫିରୋସ (ମରଣୋତ୍ତର), ମହାରାଷ୍ଟ୍ରର ମହେଶ ପାଣ୍ଡୁରଙ୍ଗ ପ୍ରମୁଖ।