ଜୈବିକ କୃଷି ପାଇଁ ବାପା-ଝିଅଙ୍କୁ ପଦ୍ମଶ୍ରୀ
ଭୁବନେଶ୍ୱର,ଏନ୍ଏନ୍ଏସ୍: ୭୧ତମ ଗଣତନ୍ତ୍ର ଦିବସ ପୂର୍ବରୁ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପାଇବା ଲାଗି ଚଳିତବର୍ଷ ସର୍ବାଧିକ ୧୦ଜଣ ଓଡ଼ିଆ ମନୋନୀତ ହୋଇଛନ୍ତି। ବିଶିଷ୍ଟ ସାହିତ୍ୟିକ ମନୋଜ ଦାସ ଚଳିତବର୍ଷ ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ସମ୍ମାନଜନକ ପଦ୍ମଭୂଷଣ ପାଇବାକୁ ମନୋନୀତ ହୋଇଛନ୍ତି। ପୁଡୁଚେରୀ ସରକାରଙ୍କ ପକ୍ଷରୁ ଶ୍ରୀ ଦାସଙ୍କ ନାମ ପଦ୍ମ ପୁରସ୍କାର ପାଇଁ ସୁପାରିଶ କରାଯାଇଥିଲା।
ଅନ୍ୟପକ୍ଷରେ ଚଳିତବର୍ଷ ଭାରତର ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଶ୍ରୀ ପାଇବା ଲାଗି ଓଡ଼ିଶାର ୯ ଓଡ଼ିଆ ମନୋନୀତ ହୋଇଛନ୍ତି। ନୟାଗଡ଼ ଜିଲାର ବାପା-ଝିଅ ଯୋଡ଼ି ପ୍ରଫେସର ରାଧାମୋହନ ଏବଂ ସାବରମତୀଙ୍କୁ ଜୈବିକ କୃଷିରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପୁରସ୍କାର ପାଇବେ। କଳା କ୍ଷେତ୍ରରେ ବିଶିଷ୍ଟ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ସ୍ୱର୍ଗତଃ ମନମୋହନ ମହାପାତ୍ରଙ୍କୁ ମରଣୋତ୍ତରଭାବେ ପଦ୍ମଶ୍ରୀ ସମ୍ମାନ ମିଳିବ। ସେହିଭଳି କଳା କ୍ଷେତ୍ରରେ ପ୍ରସିଦ୍ଧ ରଙ୍ଗବତୀ ଗୀତର ରଚୟିତା ତଥା ଗୀତିକାର ମିତ୍ରଭାନୁ ଗୌନ୍ତିଆ ଏବଂ କଟକ ଚୌଦ୍ୱାରର ବିଖ୍ୟାତ ଘୋଡ଼ାନାଚ ଶିଳ୍ପୀ ଉତ୍ସବ ଚରଣ ଦାସ ପାରମ୍ପରିକ ଲୋକକଳାକୁ ବଞ୍ଚାଇ ରଖିବା ପାଇଁ ପଦ୍ମଶ୍ରୀ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।
ଏହାବ୍ୟତୀତ ସାହିତ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ସାନ୍ତାଳୀ ଲେଖିକା ଡ. ଦମୟନ୍ତୀ ବେଶ୍ରା ଏବଂ ସାହିତ୍ୟିକା ବୀଣାପାଣି ମହାନ୍ତି, ପଶୁପାଳନ କ୍ଷେତ୍ରରେ ପ୍ରାଣୀ ଚିକିତ୍ସକ ଡ. ବଟକୃଷ୍ଣ ସାହୁ ଓଡ଼ିଶାରୁ ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ଅନ୍ୟପକ୍ଷରେ ଆମେରିକାସ୍ଥିତ ୟୁନିଭର୍ସିଟି ଅଫ୍ କାର୍ଲିଫର୍ନିଆର ପ୍ରଫେସର ତଥା ଓଡ଼ିଶା ଜନ୍ମିତ ବରିଷ୍ଠ ଅର୍ଥନୀତିଜ୍ଞ ଡ. ପ୍ରଶାନ୍ତ କୁମାର ପଟ୍ଟନାୟକ ସମ୍ମାନଜନକ ପଦ୍ମଶ୍ରୀ ପାଇବେ। ସେହିଭଳି କଟକ ଜିଲା ଜନ୍ମିତ ପ୍ରଫେସର ଡ. ଦିଗମ୍ବର ବେହେରା ମେଡିସିନ୍ କ୍ଷେତ୍ରରେ ଚଣ୍ଡିଗଡ଼ ସରକାରଙ୍କ ପରାମର୍ଶ ପଦ୍ମଶ୍ରୀ ପାଇବାକୁ ମନୋନୀତ ହୋଇଛନ୍ତି। ଓଡ଼ିଶାର ପୂର୍ବତନ ରାଜ୍ୟପାଳ ତଥା ନାଗାଲାଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍.ସି. ଜମିର ଚଳିତବର୍ଷ ପଦ୍ମଭୂଷଣ ପାଇବାକୁ ଘୋଷଣା ହୋଇଛି।