ଅବ୍ୟବସ୍ଥା ଘେରରେ ମାଧପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

ଆଠମଲ୍ଲିକ,ଏନ୍ଏନ୍ଏସ୍: ମାଧପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟବସ୍ଥାରେ ଅବହେଳା ହୋଇଥିବା ଦେଖାଯାଇଛି। ଜଣେ ଶିଶୁପୁତ୍ରକୁ ଇଞ୍ଜେକ୍ସନ ଦେବା ବେଳେ ତା’ ଶରୀରରେ ଛୁଞ୍ଚି ଭାଙ୍ଗି ରହିଯାଇଥିବା ଜଣାଯାଇଛି। ସୂଚନା ଅନୁସାରେ ପ୍ରାୟ ଏକ ମାସକ ତଳେ ଆଠମଲ୍ଲିକ ବ୍ଲକ ମାଧପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଶିଶୁପୁତ୍ରଟି ଚିକିତ୍ସା ପାଇଁ ଆସିଥିଲା। ସେଠାରେ ନର୍ସ ପୁନମ ହାସିଦୀ ଶିଶୁଟିକୁ ଏକ ଇଞ୍ଜେକସନ ଦେଇଥିଲେ । ଏହି ସମୟରେ ଶିଶୁଟିର ଶରୀରରେ ସିରିଞ୍ଜ ଛୁଞ୍ଚିଟି ଅଧା ଭାଙ୍ଗି ରହିଯାଇଥିଲା। ଏନେଇ ପୁନମ କାହାକୁ କିଛି ନକହି ନିରବ ରହିଯାଇଥିଲେ । ତାର କିଛି ଦିନ ପରେ ପିଲାଟି ଅସ୍ୱାଭାବିକ ଭାବେ ଯନ୍ତ୍ରଣା ଅନୁଭବ କରିବାରୁ ଅଭିଭାବକ ଶିଶୁଟିକୁ ଡାକ୍ତରଖାନାକୁ ନେଇଥିଲେ ହେଁ ଡାକ୍ତର ଏହାକୁ ଆଣ୍ଟିବାୟୋଟିକ କହି କଥାକୁ ଗୁରୁତ୍ୱ ଦେଇନଥିଲେ ।

ତେବେ ଆଜି ସକାଳେ ଶିଶୁଟିର ଗୁପ୍ତାଙ୍ଗ ତଳେ ସେହି ଅଧଭଂଗା ଛୁଞ୍ଚିଟି ବାହାରିଥିବାର ଦେଖିବା ପରେ ପରିବାର ଲୋକେ ଭୟଭୀତ ହୋଇ ପଡିଥିଲେ । ପରେ ଶିଶୁଟିକୁ ଅନୁଗୁଳ ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଇଥିଲେ। ତେବେ ଆଠମଲ୍ଲିକ ବ୍ଲକ୍ ମାଧପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏପରି ଚିକିତ୍ସାରେ ଅବହେଳାକୁ ନେଇ ନିନ୍ଦା କରାଯାଇଛି। ଏବେ ଶିଶୁଟିର ଜୀବନ ପ୍ରତି ବିପଦ ଥିବା ବେଳେ ପୁରା ଘଟଣାରେ କଡା ପଦକ୍ଷେପ ଦାବି ହୋଇଛି ।