ବର, ବରପିତା ସମେତ ୫ ଗିରଫ, ୫୦ ହଜାର ଜୋରିମାନା, ଗୋପାଳପୁର ମେ’ ଫେୟାର ସିଲ୍

ବ୍ରହ୍ମପୁର,ଏନ୍ଏନ୍ଏସ୍: ଗଞ୍ଜାମ ଜିଲ୍ଲା ଏବେ କରୋନାର ହଟସ୍ପଟ ଭାବେ ବିବେଚିତ ହେଉଥିବା ବେଳେ ଜିଲ୍ଲାର ପ୍ରମୁଖ ସହର ବ୍ରହ୍ମପୁରରେ ରୋଗୀଙ୍କ ସଂଖ୍ୟା ପ୍ରତିଦିନ ବଢୁଥିବା ପରିଲକ୍ଷିତ ହେଉଛି। ଏଭଳି ସ୍ଥିତିରେ କିଛି ଦାୟିତ୍ୱହୀନ ବ୍ୟକ୍ତିବିଶେଷ ପ୍ରଶାସନର କଟକଣାକୁ ବେଖାତିର କରି ସମ୍ପୂର୍ଣ୍ଣ ଆଡ଼ମ୍ବରର ସହ ବିବାହ କାର୍ଯ୍ୟ ସମ୍ପାଦନ କରି ଫସିଛନ୍ତି ବ୍ରହ୍ମପୁର ସହରର ନନ୍ଦନ ହୋଟେଲର ମାଲିକ। ଘଟଣାରେ ଗୋପାଳପୁର ଥାନା ପୁଲିସ ନନ୍ଦନ ହୋଟେଲର ୪ ମାଲିକ କୃଷ୍ଣ ଚନ୍ଦ୍ର ସାହୁ(ବରପିତା), ଶିବରାମ ସାହୁ, ସନ୍ତୋଷ ସାହୁ, ବିନୋଦ ସାହୁଙ୍କୁ ଗିରଫ କରିବା ସହ ବର ଦୀପକ ସାହୁଙ୍କୁ ମଧ୍ୟ ଗିରଫ କରିଛି। ସେହିପରି ଆଡ଼ମ୍ବରପୂର୍ଣ୍ଣ ବିବାହ ପାଇଁ ଅନୁମତି ଦେଇଥିବା ଗୋପାଳପୁର ମେ’ ଫେୟାର ହୋଟେଲକୁ ମଧ୍ୟ ପ୍ରଶାସନ ସିଲ୍ କରିଛି। ଅନ୍ୟପକ୍ଷରେ ପ୍ରଶାସନ ବର ପିତା ଏବଂ କନ୍ୟା ପିତାଙ୍କ ପରିବାର ନିକଟରୁ ୫୦ ହଜାର ଟଙ୍କା ଜୋରିମାନା ଆଦାୟ ହୋଇଛି।

ଘଟଣାରୁ ପ୍ରକାଶ ଯେ, କରୋନା ପାଇଁ ବିବାହ ଏବଂ ଭୋଜିର ଆୟୋଜନକୁ ପ୍ରଶାସନ ପକ୍ଷରୁ କଟକଣା ରହିଛି। ଯେଉଁମାନେ ବିବାହ କରିବାକୁ ଚାହୁଁଛନ୍ତି କିଛି ଦିନ ପୂର୍ବରୁ ଅଞ୍ଚଳର ଉପଜିଲ୍ଲାପାଳଙ୍କଠାରୁ ଅନୁମତି ନେଇ କେବଳ ୫୦ ଲୋକ ମଧ୍ୟରେ ବାହାଘର ଆୟୋଜନ କରିବା ପାଇଁ କୁହାଯାଇଛି। ସମସ୍ତ ନିୟମ ମାନିବା ସହ ନିରାଡ଼ମ୍ବର ଭୋଜି କରିବା ସହ ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବା ନିହାତି ଆବଶ୍ୟକ ବୋଲି କୁହାଯାଇଛି। କିନ୍ତୁ ବ୍ରହ୍ମପୁର ନନ୍ଦନ ହୋଟେଲ୍ ମାଲିକ କୃଷ୍ଣ ଚନ୍ଦ୍ର ସାହୁ ଜୁଲାଇ ୨ ତାରିଖରେ ତାଙ୍କ ପୁଅର ବିବାହ ପାଇଁ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ନିକଟରେ ଆବେଦନ କରି ସେହି ଦିନ ହିଁ ଅନୁମତି ପାଇ ଉକ୍ତ ଦିନ ରାତିରେ ହିଁ ବିବାହ କାର୍ଯ୍ୟ କରିଥିଲେ।

ବରଯାତ୍ରୀଙ୍କ ମଧ୍ୟରେ ୩ ବର୍ଷରୁ ଆରମ୍ଭ କରି ୭୦ ବର୍ଷର ଲୋକେ ନାଚ, ଗୀତରେ ମସଗୁଲ୍ ଥିଲେ। ତେବେ କେହି ହେଲେ ମଧ୍ୟ ସାମାଜିକ ଦୂରତ୍ୱ ମାନି ନଥିଲେ ଏବଂ ମାସ୍କ ବ୍ୟବହାର କରିନଥିଲେ। ବାହାଘର ରାତିରେ ହେବା ପରେ ସକାଳେ ଉଭୟ ବରପିତା ଏବଂ କନ୍ୟାପିିତା ନିଜ ନିଜ ଘରକୁ ଚାଲିଯାଇଥିଲେ। ଉକ୍ତ ସମୟର ଏକ ଭିଡିଓ ଭାଇରଲ୍ ହୋଇଥିଲା। ଏହା ବିଭିନ୍ନ ସୋସିଆଲ୍ ମିଡିଆରେ ଆସିବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ତୁରନ୍ତ ବ୍ରହ୍ମପୁର ତହସିଲଦାର ଗୋପାଳପୁରରେ ବାହାଘର ହୋଇଥିବା ହୋଟେଲକୁ ଯାଇ ତଦନ୍ତ କରିଥିଲେ। ପରେ ଗୋପାଳପୁର ଥାନା ପୁଲିସରେ ଏକ ମାମଲା ରୁଜୁ ହେବା ସହ ଉଭୟ ବର ପିତା ଏବଂ କନ୍ୟା ପିତାଙ୍କୁ ୫୦ ହଜାର ଟଙ୍କାର ଲେଖାଏଁ ଜୋରିମାନା ପକାଯାଇଥିଲା। ପରେ ଉପଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିଥିବା ନନ୍ଦନ ହୋଟେଲ ମାଲିକ ତଥା ବର ପିତା କୃଷ୍ଣଚନ୍ଦ୍ର ସାହୁ ଏବଂ ଭୋଜିର ଆୟୋଜନ କରିଥିବା ଅନ୍ୟ ୩ ଭାଇଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ସେମାନଙ୍କୁ ପଚରାଉଚରା କରୁଥିବା ବେଳେ ଉକ୍ତ ବିବାହ କରାଇଥିବା ବ୍ରାହ୍ମଣକୁ ମଧ୍ୟ ପୁଲିସ ଖୋଜୁଛି। ବ୍ରାହ୍ମଣ ବର୍ତ୍ତମାନ ଫେରାର ରହିଛି।