ଏପ୍ରିଲ ୨୯ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା

କଟକ,ଏନ୍‌ଏନ୍‌ଏସ୍‌: ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଏପ୍ରିଲ ୨୯ରୁ ଆରମ୍ଭ ହୋଇ ମେ’ ୬ ପର୍ଯ୍ୟନ୍ତ ଚାଲିବ । ପରୀକ୍ଷା ନେଇ ମୁଖ୍ୟ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି । ପୂର୍ବରୁ ସମ୍ମେଟିଭ ଆସେସମେଣ୍ଟ -୧ ପରୀକ୍ଷା ହୋଇଥିବାବେଳେ ଏବେ ସମ୍ମେଟିଭ-୨ ପରୀକ୍ଷା କରାଯିବ । ସମ୍ମେଟିଭ ଆସେସମେଣ୍ଟ-୨ ସବୁ ପିଲାଙ୍କ ପାଇଁ ବାଧ୍ୟତାମୂଳକ ହେବ । ଯଥାସମ୍ଭବ ପରୀକ୍ଷା ଗୁଡ଼ିକ ନିଜ ସ୍କୁଲରେ କରାଯିବ । ପରୀକ୍ଷା ପରିଚାଳନା ପାଇଁ ଅନ୍ୟ ସ୍କୁଲର ଶିକ୍ଷକ ନିଯୁକ୍ତ ହେବେ । ଯଦି ନିଜ ସ୍କୁଲରେ ପରୀକ୍ଷା ନହୋଇପାରେ ତେବେ ନିକଟବର୍ତ୍ତୀ ସ୍କୁଲରେ ହେବ । ୩ଟି ପଦ୍ଧତିରେ ମାଧ୍ୟମିକ ଶିକ୍ଷା ପରିଷଦ ରେଜଲ୍ଟ ନିର୍ଦ୍ଧାରଣ କରିବେ । ପ୍ରଥମ ପଦ୍ଧତିରେ ସମ୍ମେଟିଭ-୧ ଓ ଇଣ୍ଟରନାଲ ଆସେସମେଣ୍ଟର ୨ ଗୁଣ ହେବ । ଦ୍ୱିତୀୟ ପଦ୍ଧତିରେ ସମ୍ମେଟିଭ-୨ର ମାର୍କ ୨ଗୁଣ କରି ହିସାବ କରାଯିବ । ତୃତୀୟ ପଦ୍ଧତିରେ ଇଣ୍ଟରନାଲ ଆସେସମେଣ୍ଟ ୨୦ ପ୍ରତିଶତ, ସମ୍ମେଟିଭ-୧ର ୩୦ ପ୍ରତିଶତ, ସମ୍ମେଟିଭ-୨ରୁ ୫୦ ପ୍ରତିଶତ ନିଆଯାଇ ମାର୍କିଂ କରାଯିବ । ଯେଉଁ ପଦ୍ଧତିରେ ଛାତ୍ରଛାତ୍ରୀ ସର୍ବାଧିକ ମାର୍କ ରଖିବେ ତାହା ଚୂଡ଼ାନ୍ତ ହେବ ବୋଲି ମୁଖ୍ୟ ସଚିବ କହିଛନ୍ତି ।