ଭବାନୀପାଟଣା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ‘ମାଟିଲଗ୍ନା’ ତରଫରୁ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାସ୍ଥିତ ଜିଲ୍ଲା ଜେଲରେ ପ୍ରାୟ ୩୦୦ ଅନ୍ତେବାସୀଙ୍କୁ ନେଇ ଏକ ୩ ଘଣ୍ଟିଆ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ମଣିଷ ଭିତରେ ଜୀବନ୍ତ ଭଗବାନଙ୍କୁ ଦେଖିବା ଓ ସଂକଳ୍ପ ନେଇ ୧୯ ଜଣିଆ ସାହିତ୍ୟିକ ଦଳ ସେଠାରେ ପହଞ୍ଚି ଜେଲ୍ ଅଧୀକ୍ଷକ ସୁନୀଲ୍ କୁମାର ପାତ୍ରଙ୍କ ସହିତ ସାକ୍ଷାତ ଆଲୋଚନା କରିଥିଲେ । ମାଟିଲଗ୍ନା ପରିବାରର ରାଜ୍ୟ ସଭାପତି କିଶୋର ଚନ୍ଦ୍ର ପ୍ରଧାନ, କବି ଜୟନ୍ତ କୁମାର ମହାଳିକ, କଳାହାଣ୍ଡି ଜିଲ୍ଲା ସଭାପତି ସମୀର କୁମାର ମହାପାତ୍ର, ଉପଦେଷ୍ଟା କିଶୋର ଚନ୍ଦ୍ର ତ୍ରିପାଠୀ, ମହାଦେବ ମାଡ଼କାମୀ,ହାସ୍ୟ ଅଭିନେତା ପ୍ରଶାନ୍ତ କୁମାର ମିଶ୍ର, ନରସିଂହ ପ୍ରସାଦ ନାୟକ, କବି ରାଜେନ୍ଦ୍ର କୁମାର ଦୁରିଆ ଓ କବି ସଂଜୀବ ମୁଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ । ଜେଲ ଅନ୍ତେବାସୀଙ୍କୁ ସମାଜ ସ୍ରୋତରେ ସାମିଲ କରି ଅପରାଧୀ ଜୀବନରୁ ମୁକ୍ତିର ପଥ ସମ୍ପର୍କରେ ଅବଗତ କରାଇବା ସହ ହାସ୍ୟ ଅଭିନେତାଙ୍କ ଜରିଆରେ ସେମାନଙ୍କୁ ହସିହସି ବେଦାମ କରି ବାହାରେ ଅପେକ୍ଷା କରିଥିବା ପରିବାରଙ୍କ ସହିତ ବଞ୍ଚି ରହିବାର ମାନସିକତା ପରିବର୍ତ୍ତନ କରିବା ପାଇଁ ପ୍ରେରଣା ଯୋଗାଇଥିଲେ । ଏହି କାର୍ଯ୍ୟକ୍ରମ ଜରିଆରେ ସମଗ୍ର ମାନବ ସମାଜକୁ ଏକ ସୁନ୍ଦର ବାର୍ତ୍ତା ଦେବା ସହିତ ମାନବ ସେବା ମାଧ୍ୟମରେ ହିଁ ମାଧବ ସେବା କରାଯାଇପାରେ ଏହା ପ୍ରମାଣିତ କରିଥିଲେ ।