କୋଭିଡ ନିୟମ ପାଳନ ଯାଞ୍ଚ କଡ଼ାକଡ଼ି, ଅମାନିଆଙ୍କ ଠାରୁ ୩୦ ହଜାର ଜୋରିମାନା ଆଦାୟ

ଦେବଗଡ଼,ଏନ୍ଏନ୍ଏସ୍: ଆଜି ଦେବଗଡ଼ ଜିଲ୍ଲାରୁ ୧୫ କରୋନା ପଜିଟିଭ ଚିହ୍ନଟ ହେବାପରେ ଜିଲ୍ଲାରେ ସଂକ୍ରମଣ ରୋକିବା ନେଇ ଜିଲ୍ଲା ପ୍ରଶାସନ ତତ୍ପର ହୋଇଉଠିଛି। ଜିଲ୍ଲାର ପୌରାଞ୍ଚଳ ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ କରୋନାର ସାମ୍ଭାବ୍ୟ ସଂକ୍ରମଣ ଆଶଙ୍କାରେ ଜନସାଧାରଣଙ୍କ ମଧ୍ୟରେ ସାମାଜିକ ଦୂରତାକୁ ବଜାୟ ରଖିବା ପାଇଁ ବିଭିନ୍ନ ଜନଗହଳି ସ୍ଥାନରେ ପୁଲିସ ଓ ପ୍ରଶାସନର ମିଳିତ ସହଯୋଗରେ ଜନସାଧାରଣଙ୍କୁ ସଚେତନ କରାଯିବା ସହ ମାସ୍କ ବ୍ୟବାହର ଓ ସାମାଜିକ ଦୂରତାକୁ କଡ଼ାକଡ଼ି ଯାଞ୍ଚ କରାଯାଇଛି।

ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା କୋଭିଡ ନିୟମକୁ ପାଳନ କରୁନ ଥିବା ଅମାନିଆଙ୍କ ଠାରୁ ଡେପୁଟି କଲେକ୍ଟର ଦିବ୍ୟ ଶଙ୍କର ଜୟପୁରିଆଙ୍କ ତତ୍ତ୍ୱାବଧାନରେ ଜିଲ୍ଲା ପ୍ରଶାସନିକ ଅଧିକାରୀ ଓ ପୁଲିସ କର୍ମଚାରୀ ୨୦,୫୦୦ ଟଙ୍କା ଜୋରିମାନା ଆଦାୟ କରିଥିବାବେଳେ ରିଆମାଳ ବ୍ଲକ ଅତିରିକ୍ତ ତଦସିଲଦାର ମନୋରଞ୍ଜନ ବଘାର ୬,୫୦୦ ଟଙ୍କା ଓ ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପଥ ୩,୪୦୦ଟଙ୍କା ଜୋରିମାନା ଆଦାୟ କରିଛନ୍ତି। କଲେଜ ରୋଡ, ମୁଖ୍ୟବଜାର ଓ ପୁରୁଣାଗଡ଼ ଅଞ୍ଚଳରେ କୋଭିଡ ନିୟମ ଯାଞ୍ଚ କରୁଥିବାବେଳେ ଘରୋଇ ବସଷ୍ଟାଣ୍ଡ, ଟେକ୍ସିଷ୍ଟାଣ୍ଡ ଓ ପୁରୁଣା ପୋଷ୍ଟ ଅଫିସ ଛକରେ ଦେବଗଡ ତହସିଲଦାର ପଲ୍ଲଭି ନାୟକ ପୁଲିସ ଫୋର୍ସ ସହ ରାସ୍ତାରେ ଯାଞ୍ଚ କରିବାସହ ଜନସାଧାରଣଙ୍କୁ ମାସ୍କ ବ୍ୟବହାର ପାଇଁ ସଚେତନ କରିଥିଲେ।