ଦାରିଙ୍ଗବାଡି,ଏନ୍ଏନ୍ଏସ୍: ସିପିଆଇ ମାଓବାଦୀ ୧୨ ଦଫା ଦାବୀ ନେଇ ଆଜି ୨୪ଘଣ୍ଟିଆ ୭ ଜିଲ୍ଲା ବନ୍ଦ ଡାକରା ଦେଇଥିଲେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିନାହିଁ । କନ୍ଧମାଳ ଜିଲ୍ଲାରେ ବିଶେଷ ପ୍ରଭାବ ଦେଖିବାକୁ ମିଳିନଥିବା ବେଳେ ଗତକାଲି ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିମନବାଡ଼ି ଗ୍ରାମରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା । ମାଓବାଦୀଙ୍କ ବନ୍ଦ ଡାକରା ଭୟରେ ବ୍ୟବସାୟୀମାନେ ଭୟଭୀତ ହୋଇ ଦୋକାନ ବଜାର ବନ୍ଦ ରଖିଥିବାବେଳେ ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ ସମଗ୍ର କନ୍ଧମାଳ ଜିଲ୍ଲାରେ ସରକାରୀ ଓ ବେସରକାରୀ ବସ ଚଳାଚଳ କରୁଥିବା ସିମନବାଡ଼ି ଗ୍ରାମ ବ୍ୟତୀତ ବାଲିଗୁଡ଼ା, ଦାରିଙ୍ଗବାଡ଼ି, ରାଇକିଆ, ଜି. ଉଦୟଗିରି, ଟିକାବାଲି ଓ ଫୁଲବାଣୀ ସହରରେ ସମସ୍ତ ଦୋକାନ ବଜାର ଖୋଲା ରହିଛି । ସୂଚନା ପ୍ରକାରେ ଗତକାଲି ସିମନବାଡ଼ି ଟୋଲଗେଟ ଓ ଗ୍ରାମ ନିକଟସ୍ଥ ବୁଡ଼ାଗୁଡ଼ା ଛକରେ ସିପିଆଇ ମାଓବାଦୀଙ୍କ ତରଫରୁ ଲାଲ ବ୍ୟାନର ଓ ପୋଷ୍ଟର ଲଗାଯାଇଥିଲା । ବନ୍ଦ ଡାକରା ଯୋଗୁ ସିମନବାଡ଼ି ଗ୍ରାମର ବ୍ୟବସାୟୀମାନେ ଭୟଭୀତ ହୋଇ ଦୋକାନ ବଜାର ବନ୍ଦ କରି ଘରୁ ବାହାରୁନଥିବା ସିମନବାଡ଼ି ବଣିକ ସଂଘ ସଭାପତି ପ୍ରକାଶ କରିଥିଲେ । ଗ୍ରାମର ଉଭୟ ପାର୍ଶ୍ୱରେ ମାଓବାଦୀଙ୍କ ତରଫରୁ ଲାଲ ବ୍ୟାନର ଲଗାଯାଇଥିବାରୁ ବ୍ୟବସାୟୀ ଭୟଭୀତ ଥିବା ଅନ୍ୟଜଣେ ବ୍ୟବସାୟୀ କହିଛନ୍ତି । ଅନ୍ୟପଟେ ଦୀର୍ଘ ବର୍ଷ ପରେ ସିମନବାଡ଼ି ଅଞ୍ଚଳରେ ମାଓବାଦୀଙ୍କ ଲାଲ ବ୍ୟାନର ଲଗାଯାଇଥିବାରୁ ଦୋକାନ ବଜାର ବନ୍ଦ ହେବା ଯୋଗୁ ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବା ଗ୍ରାମବାସୀ କହିଛନ୍ତି ।