୨୮ରୁ ନକ୍ସଲଙ୍କ ସହିଦ ସପ୍ତାହ

ମାଲକାନାଗିରି ଜିଲ୍ଲା ସୀମା ସିଲ, ହାଇଆଲର୍ଟ ଜାରି

  • ମାଲକାନଗିରି: ବୁଧବାରଠାରୁ ମାଓବାଦୀଙ୍କ ସହିଦ ସପ୍ତାହ। ଦୁର୍ଗମ ଗ୍ରାମଗୁଡିକରେ ନକ୍ସଲ ସହିଦ ସପ୍ତାହ ପାଳନ ନେଇ ପୋଷ୍ଟର ବ୍ୟାନର ମାରିବା ସହ ଗଣମାଧ୍ୟମରେ ମଧ୍ୟ ବିବୃତ୍ତି ପ୍ରଦାନ କରିଛନ୍ତି। ମାଲକାନଗିରି ଜିଲ୍ଲାରେ ସହିଦ ହୋଇଥିବା ମାଓ କମାଣ୍ଡଙ୍କ ସ୍ମୃତିଚାରଣ କରିବା ସହ ସମସ୍ତ ଅମର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଆହ୍ୱାନ ଦିଆଯାଇଛି। ଦୁର୍ଗମ ଅଞ୍ଚଳର ଲୋକେ ଆତଙ୍କିତ ଏବଂ ଭୟଭୀତ ହୋଇ ରହିଛନ୍ତି। ନକ୍ସଲଙ୍କ କଥା ମାନି ଯଦି ଗ୍ରାମରେ ସହିଦ ସପ୍ତାହ ପାଳନ ନକରନ୍ତି ତେବେ ଆଗାମୀ ଦିନରେ ଏହାର ପରିମାଣ ଭୋଗିବାକୁ ପଡିବ। ପୁଲିସ ଏବଂ ବିଏସ୍ଫ ନକ୍ସଲର ଏହି ସପ୍ତାହକୁ ଭଣ୍ଡୁର କରିବା ପାଇଁ ଗୁଇନ୍ଦାକୁ ଲଗାଇବା ସହ କୁମ୍ବିଂକୁ ଜୋରଦାର କରାଯାଇଛି। ଏବେ ଜିଲ୍ଲାର ସୀମାନ୍ତବର୍ତ୍ତୀ ଗ୍ରାମଗୁଡିକରେ ନକ୍ସଲ ସହିଦ ସ୍ତମ୍ଭ ନିର୍ମାଣ କରିଛନ୍ତି। ସେହି ସ୍ତମ୍ଭରେ ସହିଦମାନଙ୍କ ନାମ ଲିପିବଦ୍ଧ ହୋଇଛି।
    ଅନ୍ୟପଟେ ପୁଲିସ ଜିଲ୍ଲାରେ ହାଇଆଲର୍ଟ ଜାରି କରିବା ସହ ସୀମାକୁ ସିଲ୍ କରିଛି। ଜିଲ୍ଲାକୁ ଲାଗି ରହିଥିବା ଆନ୍ଧ୍ର, ଛତିଶଗଡ ଏବଂ ତେଲେଙ୍ଗାନା ପଟୁ ଆସୁଥିବା ସମସ୍ତ ଗାଡିକୁ ଯାଞ୍ଚ କରାଯାଉଛି। ଅଜଣା ଲୋକଙ୍କୁ ପଚରାଉଚରା କରାଯାଉଛି। କରୋନା ମହାମାରୀ ଯୋଗୁଁ ଗମନାଗମନରେ ବାଧାପ୍ରାପ୍ତ ହୋଇଥିବାବେଳେ ଗତ ଦୁଇ ତିନିଦିନ ହେଲା ବସ ଚଳାଚଳ ଆରମ୍ଭ ହୋଇଥିଲା।
    ଆସନ୍ତା ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଏହି ସହିଦ ସପ୍ତାହ ପାଳନ କରୁଥିବାରୁ ପୁଲିସ ଅତି ସତର୍କତା ଅବଲମ୍ବନ କରୁଛି। ଦୁର୍ଗମ ଅଞ୍ଚଳକୁ ସରକାରୀ ବାବୁମାନେ ଆଦୌ ଯିବେ ନାହିଁ। ଉନ୍ନୟନ କାର୍ଯ୍ୟ ଏକପ୍ରକାର ଠପ୍। ନକ୍ସଲଙ୍କ ଗତିବିଧିକୁ ଗୁଇନ୍ଦା ବିଭାଗ ଲକ୍ଷ୍ୟ ରଖିଛି। କୌଣସି ଅଘଟଣ ହେବା ପୂର୍ବରୁ ସମସ୍ତ ଖବର ପ୍ରଦାନ କରିବ ବୋଲି ଜଣାପଡିଛି। ନକ୍ସଲ ମଧ୍ୟ ପୁଲିସର ସମସ୍ତ ରଣନୀତିକୁ ପରଖିବା ସହ ଚ୍ୟାଲେଞ୍ଜ କରି ଦୁର୍ଗମ ଗ୍ରାମରେ ଏହି ସହିଦ ସପ୍ତାହ ପାଳନ କରିବ। ପଡୋଶୀ ଛତିଶଗଡରେ ନକ୍ସଲ ହିଂସା ବଢିବାରେ ଲାଗିଛି। ଯାହାକୁ ନେଇ ମାଲକାନଗିରି ପୁଲିସ ଏବେ ଚିନ୍ତାରେ ପଡିଛି। ପୁଲିସ ବହୁ ସହିଦସ୍ତମ୍ଭକୁ ଧ୍ୱଂସ କରିବାରେ ସଫଳ ହୋଇଛି। କିନ୍ତୁ ଏବେ ବି ନକ୍ସଲଙ୍କ ବହୁ ସହିଦସ୍ତମ୍ଭ ଦୁର୍ଗମ ଅଞ୍ଚଳରେ ରହିଥିବା ଗୁଇନ୍ଦାକୁ ସୂଚନା ମିଳିଛି। ତେବେ ଏହି ସାତ ଦିନ ନକ୍ସଲ କି କି କାର୍ଯ୍ୟକ୍ରମ କରୁଛନ୍ତି ଦେଖିବାକୁ ବାକି ରହିଲା।