ମାଓବାଦୀଙ୍କ ଅଡ଼ିଓ ଟେପ ଜାରୀ: ଗୁଳି ବିନିମୟ ଘଟଣା ସମ୍ପୂର୍ଣ୍ଣ ମିଥ୍ୟା  

ଅଟକ ୨ ମାଓବାଦୀଙ୍କୁ କୋର୍ଟରେ ହାଜର ପାଇଁ ଦାବି

ମାଲକାନଗିରି, ଏନ୍ଏନ୍ଏସ୍: ଗତ ୧୩ ତାରିଖରେ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳର ସିଙ୍ଗାରାମ ନିକଟରେ ପୁଲିସ -ମାଓବାଦୀଙ୍କ ଗୁଳି ବିନିମୟ ଘଟଣା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଏକ ଅଡ଼ିଓ ଟେପରେ ମାଓନେତା କୈଳାସ ଅଭିଯୋଗ କରିଛନ୍ତି। ଏହି ମିଥ୍ୟା ଗୁଳି ବିନିମୟ ଘଟଣାରେ ମୃତକ ମାଓବାଦୀଙ୍କ ମଧ୍ୟରୁ ପୁରୁଷ ମାଓବାଦୀ ଜଣକ ମାଲେସ ବୋଲି ଜଣାପଡ଼ିଥିବା ବେଳେ ମହିଳାଙ୍କ ପରିଚୟ ମିଳିନାହିଁ। ଏହି ମହିଳା ମାଓବାଦୀ ଜଣକଙ୍କ ନାମ କାନ୍ତାମା ଓ ତାଙ୍କ ଘର ସ୍ଥାନୀୟ ଅଞ୍ଚଳର ଆମେଲିବେଡ଼ା ଗ୍ରାମରେ ବୋଲି ମାଓନେତା ପ୍ରକାଶ କରିଛନ୍ତି। ସଂଗଠନର ସଦସ୍ୟାମନେ ବିଶ୍ରାମ ନେଉଥିବା ବେଳେ ଧରି ନେଇ ୨ ଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ଅନ୍ୟ ୨ ଜଣଙ୍କୁ ଅଟକ ରଖିଛନ୍ତି।

ଏହି ଘଟଣାରେ ଅଟକ ରଖିଥିବା ୨ ଜଣଙ୍କୁ ଶୀଘ୍ର କୋର୍ଟ ଚାଲାଣ କରିବାକୁ ସେ ଦାବି କରିଛନ୍ତି। ଗତ କିଛି ଦିନହେଲା ସ୍ୱାଭିମାନ ଅଂଚଳରେ ପୁଲିସ ପକ୍ଷରୁ ଆଦିବାସୀଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ବେଳେ ମାଓବାଦୀ ନାମରେ ଏନକାଉଣ୍ଟର କରାଯାଉଛି। ଦମନ ନାମରେ ପୁଲିସ ନିରୀହଙ୍କ ଉପରେ ଅତ୍ୟାଚାର କରାଯାଉଛି ବୋଲି ମାଓନେତା କୈଳାସ ଅଭିଯୋଗ କରିଛନ୍ତି।