ପାଟଣାଗଡ଼,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ଖପରାଖୋଲ ବ୍ଲକ୍ ଲାଠୋର ଥାନା ଅଞ୍ଚଳରୁ ଏକ ମାଓ ସମର୍ଥକକୁ ବୁଧବାର ସକାଳୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୁଲିସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି। ଗିରଫ ମାଓ ସମର୍ଥକ ହେଲେ ଘୁନସର ପଞ୍ଚାୟତ ଝାଲବାହାଲ ଗ୍ରାମର ନୃପତ ବରିହାଙ୍କ ପୁଅ ଦୁର୍ଯ୍ୟୋଧନ ବରିହା। ପୁଲିସର ସୂଚନା ଅନୁଯାୟୀ ଗିରଫ ମିଲେସିଆ ଜଣଙ୍କ ୨୦୧୩ ମସିହାରୁ ବେନ୍ଦର, ଚାନ୍ଦିଲି ଓ ଗନ୍ଧମାର୍ଦ୍ଦନ ଅଞ୍ଚଳରେ ବଲାଙ୍ଗିର, ବରଗଡ଼ ମହାସମୁଦ ଡିଭିଜନରେ କାମ କରୁଥିଲା।
ମାଓବାଦୀଙ୍କୁ ଖାଦ୍ୟ, ମେଡିସିନ ଦେବା ସହ ରହିବା ପାଇଁ ଜାଗା ଦେବା ଓ ସେମାନଙ୍କ ଜିନିଷପତ୍ର ନେବାଆଣିବା କରୁଥିଲା। ଡିଭିଜନ ମୁଖ୍ୟ ବିକାର ଓରଫ ସୁଦର୍ଶନ ପାଇଁ କାମକରୁଥିଲା। ବହୁ ମାଓ ହିଂସାରେ ମଧ୍ୟ ସଂଶ୍ଲିଷ୍ଟ ଥିବା ପୁଲିସ କହିଛି। ୨୦୧୯ ତ୍ରିଲୋଚନ ତରିଆ ହତ୍ୟା, ଗତବର୍ଷ ଲାଠୋର ଥାନା ଅଞ୍ଚଳରେ ମାଓ ପୁଲିସ ଗୁଲିବିନିୟମ ଘଟଣାରେ ଆହତ ହୋଇଥିବା ମାଓବାଦୀ ରମେଶର ରହିବା ବ୍ୟବସ୍ଥା କରିବା ସହ ମେଡିସିନ ଯୋଗାଇଦେବା ଭଳି ଅଭିଯୋଗ ରହିଛି। ଏପରିକି ତା’ଘରୁ ମଧ୍ୟ ମାଓ ପୋଷ୍ଟର, ବହି, ଲିଫଲେଟ ଜବତ କରାଯାଇଛି। ଲାଠୋର ଥାନା କେସ ନଂ ୪୦/୨୧ରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ପାଟଣାଗଡ଼ ଏସଡିପିଓ ଜ୍ୟୋର୍ତିମୟ ଭୁକ୍ତା ପ୍ରେସ ରିଲିଜରେ ଜଣାଇଛନ୍ତି।