ମାଓବାଦୀଙ୍କ ପିଏଲଜିଏ ସପ୍ତାହ ପାଳନ, କଡ଼ାକଡ଼ି ହେଲା ସୁରକ୍ଷା ବ୍ୟବସ୍ଥା ଜିଲ୍ଲା By Nitidin Last updated Dec 2, 2019 Share ମାଲକାନଗିରି,ରାୟଗଡ଼ା,ଏନ୍ଏନ୍ଏସ୍: ମାଓବାଦୀଙ୍କ ପିଏଲଜିଏ ସପ୍ତାହ ଆଜିଠାରୁ ଆରମ୍ଭ ହୋଇଥିବା ସହ ସୁରକ୍ଷା ଦୃଷ୍ଟିରୁ ମାଓପ୍ରବଣ ଅଞ୍ଚଳମାନଙ୍କରେ ବସ୍ ଚଳାଚଳ ବନ୍ଦ କରାଯାଇଛି। ତେବେ ଆସନ୍ତା ୮ ତାରିଖ ପର୍ୟ୍ୟନ୍ତ ଏହି ସପ୍ତାହ ପାଳନ କରିବାକୁ ନକ୍ସଲ ମାନେ ଆହ୍ୱାନ ଦେଇଛନ୍ତି। ଏଥିପାଇଁ ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଞ୍ଚଳ ମାନଙ୍କରେ ପୋଷ୍ଟର ତଥା ବ୍ୟାନର ମାରି ପିଏଲଜିଏ ସପ୍ତାହ ପାଳନ କରିବାକୁ ଆହ୍ୱାନ ଦିଆଯାଇଛି। କୌଣସି ପ୍ରକାର ଅଘଟଣକୁ ଏଡ଼ାଇବା ପାଇଁ ମାଲକାନଗିରି ପୁଲିସ ପକ୍ଷରୁ ଛତିଶଗଡ଼ ଏବଂ ଆନ୍ଧ୍ର ସୀମାକୁ ସିଲ୍ କରାଯାଇଛି। ବିଏସ୍ଏଫ୍, ଏସଓଜି, ଡିଭିଏଫ ଯବାନଙ୍କ ଦ୍ୱାରା କମ୍ବିଂ ଅପରେସନ ଜାରି ରହିଛି। ଜିଲ୍ଲା ସୀମାରେ ଅଚିହ୍ନା ଲୋକଙ୍କ ଯାନବାହାନ ଯାଞ୍ଚ କରାଯାଉଛି। କୌଣସି ଅପ୍ରୀତିକର ଘଟଣାକୁ ଏଡ଼ାଇବା ପାଇଁ ଗୁଇନ୍ଦା ବିଭାଗକୁ ସଜାଗ ରହିବାକୁ କୁହାଯାଇଛି। ସେହିପରି ଆଜିଠୁ ମାଓବାଦୀ ପିଏଲଜିଏ ସପ୍ତାହ ପାଳନ କରୁଛନ୍ତି। ଏ ନେଇ ଜିଲ୍ଲାର ଦୁର୍ଗମ ଅଞ୍ଚଳମାନଙ୍କରେ ମାଓ ସଙ୍ଗଠନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଏହାକୁ ପ୍ରତିହତ ପାଇଁ ପୁଲିସ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ଜିଲ୍ଲାର ମୁନିଗୁଡ଼ା, ବିଷମକଟକ, କଲ୍ୟାଣସିଂହପୁର, କାଶିପୁର, ଗୁଡ଼ାରି, ଚନ୍ଦ୍ରପୁର ସମେତ ଶେଷଖାଲ ଥାନା ଅଞ୍ଚଳରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। କଳାହାଣ୍ଡି ଜିଲ୍ଲା ଏବଂ ରାୟଗଡ଼ା ଜିଲ୍ଲାରେ ରହିଥିବା ନିୟମଗିରି ପାହାଡ଼ ନକ୍ସଲଙ୍କ ଆଡ଼ାସ୍ଥଳରେ ପରିଣତ ହୋଇଥିବା ବେଳେ ଏହି ପିଏଲଜିଏ ସପ୍ତାହରେ ଯେପରି କିଛି ଅଘଟଣ ନଘଟେ ସେ ନେଇ କୁମ୍ବିଂ ଅପରେସନ ଆରମ୍ଭ କରାଯଥିବା ରାୟଗଡ଼ା ଏସପି ଶ୍ରବଣ ବିବେକ ଏମ ସୁଚନା ଦେଇଛନ୍ତି। ଏ ନେଇ ସେ କହିଛନ୍ତି ଯେ ଜଦିଓ ରାୟଗଡ଼ା ଜିଲ୍ଲାରେ ଏବେ ନକ୍ସଲ ଗତି ବିଧା ହ୍ରାସପାଇଛି ତଥାପି ପୁଲିସ ଏ ଦିଗରେ ସଜାଗ ରହିଛି। ଗତ ମାସରେ ଅମ୍ବାଦଳା ନିକଟରେ ମାଓକ୍ୟେମ୍ପ ଏବଂ ମାଓ ନେତ୍ରୀ ପାର୍ବତୀର ଆତ୍ମସମର୍ପଣ ପରେ ଜିଲ୍ଲାରେ ମାଓ ସ୍ଥିତି ସ୍ୱଷ୍ଟ ହୋଇଯାଇଛି। ଗୁଇନ୍ଦାବିଭାଗର ସୂଚନା ଅନୁସାରେ ବର୍ତ୍ତମାନ ସୀମାନ୍ତ ଜିଲ୍ଲାର ପୁଲିସ ସହ ଯୋଗସୂତ୍ର ସ୍ଥାପନ କରି ମିଳିତ ଭାବେ ଅପରେସନ ଆରମ୍ଭ କରାଯାଇଛି। ଏ ନେଇ ସିଆରପିଏଫ୍, ବିଏସ୍ଏଫ୍, ଗ୍ରେହାଉଣ୍ଡ, ଡିଭିଏଫ୍ ଏବଂ କୋବ୍ରା ଯବାନଙ୍କ ସହ ଓଏସ୍ଏପି ଯବାନଙ୍କୁ ନିୟୋଜିତ କରାଯାଇଛି । ସେହିପରି ସୁରକ୍ଷା ଦୃଷ୍ଟିରୁ ଆସନ୍ତା ୭ଦିନ ପର୍ଯ୍ୟନ୍ତ ଜିଲ୍ଲା ସଦର ମହକୁମାରୁ କୈଣସି ସରକାରୀ ବସ ଚଳାଚଳ କରୁନଥିବା ଜଣାପଡ଼ିଛି। Share