ନିୟମଗିରିରେ ମାଓ ବିରୋଧୀ ୫ ପୋଷ୍ଟର

କଲ୍ୟାଣସିଂହପୁର,ଏନ୍‍ଏନ୍‍ଏସ୍‍: ରାୟଗଡ଼ା ଜିଲ୍‍ଲାରେ ମାଓବାଦୀମାନେ ବିଭିନ୍ନ ସମୟରେ ଉତେ୍‍ତଜନା ପରସ୍‍ଥିତି ସୃଷ୍‍ଟି କରୁଥିବା ବେଳେ ଆଜି ଜିଲ୍ଲାରେ ମାଓ ବିରୋଧୀ ପୋଷ୍ଟର ଦେଖିବାକୁ ମିଳିଛି। ନିୟମଗିରି ପର୍ସାଲି ପଞ୍ଚାୟତରେ ଡଙ୍ଗରିଆ କନ୍ଧ ବିକାଶ ମଞ୍ଚ ପକ୍ଷରୁ ମାଓବାଦୀଙ୍କ ବିରୋଧରେ ୫ଟି ପୋଷ୍ଟର ମରାଯାଇଥିବାବେଳେ କଲ୍ୟାଣସିଂହପୁର ସଦର ପ୍ରାଥମିକ ବିଦ୍ୟାଳୟ ପାଚେରିରେ ଗୋଟିଏ ପଷ୍ଚୋର ଲାଗିଥିବା ଦେଥିବାକୁ ମିଳିଥିଲା। ଏହି ପୋଷ୍ଟରରେ ନିୟମଗିରି ଅଞ୍ଚଳର ବିକାଶ ପାଇଁ ଆହ୍ୱାନ ଦିଆଯାଇଛି।

ଏଥିରେ ଉଲ୍ଲେଖ ରହିଛି ଯେ, ନିୟମଗିରି ଅଞ୍ଚଳର ଉନ୍ନତି ପାଇଁ ରାସ୍ତାଘାଟ କେବେ ତିଆରି ହେବ? ନିୟମଗିରି ସୁରକ୍ଷା ସମିତି ନାଁରେ କେତେଦିନ ନିରୀହ ଡଙ୍ଗରିଆଙ୍କୁ ଅତ୍ୟାଚାର ଚାଲୁ ରହିବ ? ରାସ୍ତାକାମ ଠିକାଦାରଙ୍କଠାରୁ ଚାନ୍ଦା ଆଦାୟ କେବେ ବନ୍ଦ ହେବ? ଉନ୍ନତିମୂଳକ କାର୍ୟ୍ୟ କରୁଥିବା ଯୁବକମାନଙ୍କୁ ମାଓବାଦୀଙ୍କ ନାମରେ ହତ୍ୟା ଧମକ କେବେ ବନ୍ଦହେବ ? ରାସ୍ତାକାର୍ୟ୍ୟରେ ଲାଗିଥିବା ଗାଡିମୋଟର ପୋଡିଦେବା ପାଇଁ ମାଓବାଦୀଙ୍କୁ କିଏ କହୁଛି ବୋଲି ପୋଷ୍ଟରରେ ପ୍ରଶ୍ନ କରାଯାଇଛି। ସେହିପରି ମାଓବାଦୀଙ୍କ କାର୍ୟ୍ୟକଳାପକୁ ନେଇ ନିୟମଗିରି ସୁରକ୍ଷା ସମିତି କାହିଁକି ଚୁପ୍ ରହିଛି ବୋଲି ପ୍ରଶ୍ନ ହୋଇଛି। ଏଥିସହିତ ଅଞ୍ଚଳ ବିକାଶ ପାଇଁ ଡଙ୍ଗରିଆ ବିକାଶ ମଞ୍ଚକୁ ସାହାଯ୍ୟ କରିବାକୁ ନିବେଦନ କରାଯାଇଛି।