ଆନ୍ଧ୍ରାରେ ଫସିଛନ୍ତି ଶତାଧିକ ଓଡ଼ିଆ ଶ୍ରମିକ, ଫେରାଇ ଆଣିବା ପାଇଁ ବିଧାୟକ ନେଲେ ପଦକ୍ଷେପ

ଝାରସୁଗୁଡା,ଏନ୍ଏନ୍ଏସ୍: ଲକଡାଉନ ଯୋଗୁଁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ବୋୟାପାଲେମ ସ୍ଥିତ ଏକ ସୂତାକଳରେ କାର୍ଯ୍ୟ କରୁଥିବା ଶତାଧିକ ଓଡ଼ିଆ ଶ୍ରମିକ ରାଜ୍ୟକୁ ଫେରି ନପାରି ସେଠାରେ ଫସିରହିଛନ୍ତି। ସେମାନେ ଓଡିଶାକୁ ଫେରିବା ପାଇଁ ଚାହୁଁ ଥିଲେ ହେଁ ସମ୍ପୃକ୍ତ ସୂତାକଳ ମାଲିକ ସେମାନଙ୍କୁ ଆସିବାକୁ ଦେଉନଥିବା ସେମାନେ ଅଭିଯୋଗ କରିଛନ୍ତି। ଏହି ଶ୍ରମିକମାନଙ୍କ ମଧ୍ୟରୁ ଝାରସୁଗୁଡ଼ା ଜିଲ୍ଲାର କେତେକ ଶ୍ରମିକ ଏନେଇ ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତିଙ୍କୁ ଫୋନ କରି ଜଣାଇଥିଲେ।

ଶ୍ରମିକଙ୍କ ଦୁଃର୍ଦ୍ଦଶା ବିଷୟରେ ଜାଣିବା ପରେ ସେମାନଙ୍କୁ କିଭଳି ସେଠାରୁ ମୁକ୍ତ କରି ରାଜ୍ୟକୁ ଫେରାଇ ଅଣାଯିବ ସେ ଦିଗରେ ପଦକ୍ଷେପ ନେବାକୁ ବିଧାୟକ ଶ୍ରୀ ମହାନ୍ତି ଜିଲ୍ଲାପାଳ ଏବଂ ଜିଲ୍ଲା ପ୍ରଶାସନକୁ ଜଣାଇଛନ୍ତି। ଏଥିସହ ସେମାନଙ୍କୁ ସେଠାରୁ ଉଦ୍ଧାର କରିବା ସହ ନିଜ ଖର୍ଚ୍ଚରେ ରାଜ୍ୟକୁ ଫେରାଇ ଆଣିବା ପାଇଁ ନିବେଦନ କରିଛନ୍ତି। ଏହାପରେ ଜିଲ୍ଲା ଶ୍ରମ ଅଧିକାରୀ କେଏମ୍ ରାଉତ ଗୁନଟୁରର ଜଣେ ଶ୍ରମ ଅଧିକାରୀଙ୍କ ସହ ଯୋଗାଯୋଗ କରି ସେଠାରୁ ସେମାନଙ୍କୁ ଫେରାଇ ଆଣିବାକୁ ପଦକ୍ଷେପ ଆରମ୍ଭ କରିଛନ୍ତି।

ପ୍ରକାଶ ଯୋଗ୍ୟ ଯେ, ଶତାଧିକ ଓଡ଼ିଆ ଶ୍ରମିକ ବୋୟାପାଲେମ ସ୍ଥିତ ଶ୍ରୀ ଅନନ୍ତ ଲକ୍ଷ୍ମୀ ସ୍ପିନିଂ ମିଲରେ କାର୍ଯ୍ୟ କରୁଛନ୍ତି। କରୋନା ସଂକ୍ରମଣକୁ ନେଇ ଲକଡାଉନ ଲାଗୁ ହେବା ପରେ ସମ୍ପୃକ୍ତ ଶ୍ରମିକ କର୍ମଚାରୀଙ୍କୁ ଠିକ ଭାବେ ଦରମା ପୈଠ କରାଯାଉ ନାହିଁ। ଫଳରେ ସେମାନଙ୍କ ରହିବା, ଖାଇବା ପିଇବାରେ ଅନେକ ସମସ୍ୟା ସୃଷ୍ଟି ହେଉଛି। ଫଳରେ ସେମାନେ ନିଜ ଘରକୁ ଫେରିବାକୁ ଚାହୁଁଥିଲେ ହେଁ ସେମାନଙ୍କୁ ସେଠାରେ ନଜର ବନ୍ଦି କରି ରଖାଯାଇଛି ବୋଲି ଲଖନପୁର ବ୍ଲକ୍ ମହୁଦୀ ଅଞ୍ଚଳର ଅର୍ଜୁନ ସା ନାମକ ଜଣେ ଶ୍ରମିକ ବିଧାୟକଙ୍କୁ ଜଣାଇଛନ୍ତି।