ଋଷର ସ୍କୁଲ୍‌ରେ ଗୁଳିକାଣ୍ଡ, ୧୫ ଜଣଙ୍କ ପ୍ରାଣହାନୀ

ମସ୍କୋ,ଏଜେନ୍ସି: ମଧ୍ୟ ଋଷିଆର ଏକ ସ୍କୁଲ୍‌ରେ ଗୁଳିକାଣ୍ଡ ଘଟିଛି । ଫଳରେ ୧୫ ଜଣଙ୍କ ପ୍ରାଣହାନୀ ହୋଇଛି । ମୃତକଙ୍କ ମଧ୍ୟରେ ୧୧ ଜଣ ପିଲା ସାମିଲ ରହିଛନ୍ତି । ଗୁଳିକାଣ୍ଡ ଘଟାଇବା ପରେ ନିଜକୁ ଗୁଳି କରି ହତ୍ୟା କରିଛି ଆକ୍ରମଣକାରୀ । ଏହି ଗୁଳିକାଣ୍ଡରେ ୨୪ ଜଣ ଗୁରୁତର ଭାବରେ ଆହତ ହୋଇଥିବା ତଦନ୍ତକାରୀ ସଂସ୍ଥା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଇଜେଭସ୍କ ସହର ଏକ ସ୍କୁଲ୍‌ ଭିତରକୁ ଏକ କଳା ଟୋପି ପିନ୍ଧି ଜଣେ ବ୍ୟକ୍ତି ଅଚାନକ ପଶି ଆସିଥିଲେ । କେହି କିଛି ବୁଝିବା ପୂର୍ବରୁ ଆଖିବୁଜା ଗୁଳିଚାଳନା ଆରମ୍ଭ କରି ଦେଇଥିଲେ । ସଙ୍ଗେସଙ୍ଗେ ଘଟଣାସ୍ଥଳରେ ଧାଁ ଧପଡ଼ ଆରମ୍ଭ ହୋଇଯାଇଥିଲା । ଆକ୍ରମଣକାରୀଠାରୁ ବଞ୍ଚିବାକୁ ସମସ୍ତ ସମ୍ଭବ ଚେଷ୍ଟା କରୁଥିଲେ ପିଲା ଓ ସ୍କୁଲ୍‌ କର୍ମଚାରୀ । ତେବେ ଆକ୍ରମଣ ଯୋଗୁଁ ୧୧ ଜଣ ପିଲା ଓ ୪ ଜଣ ସ୍କୁଲ୍‌ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଗୁଳିକାଣ୍ଡ ଘଟାଇବା ପରେ ଆକ୍ରମଣକାରୀ ନିଜକୁ ଗୁଳି କରିଥିଲା ।

ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ନେଇ ଏହି ଆକ୍ରମଣ କରାଯାଇଛି । କାରଣ ଆକ୍ରମଣ କରିବା ସହ ଆକ୍ରମଣକାରୀ ଘଟଣାର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିବାରେ ଲାଗିଥିଲା । ସ୍କୁଲ୍‌ ବିଲ୍ଡିଂ ଭିତରେ ଥିବା ଭୟର ବାତାବରଣକୁ ସମସ୍ତଙ୍କୁ ଦେଖାଇବାକୁ ଚାହୁଁଥିଲା ଆକ୍ରମଣକାରୀ । ଏହି ସବୁ ଭିଡିଓ ମଧ୍ୟରୁ ଗୋଟିଏ ଭିଡିଓରେ ଗୁଳି ବାଜିଥିବା ଝରକା, ରକ୍ତାକ୍ତ କ୍ଲାସ୍‌ରୁମ୍‌, ପିଲାମାନେ ଭୟରେ ଡେସ୍କ୍‌ ତଳେ ଲୁଚିଥିବା ଦେଖା ଯାଉଛି ।

ଆକ୍ରମଣକାରୀ ଋଷିଆ ନାଗରିକ ଆର୍ଟେମ୍ କାଜାଣ୍ଟସେଭ୍ ବୋଲି ଜଣା ପଡ଼ିଛି । ସେ ଏକ କଳା ଟୋପି ପିନ୍ଧି ଦୁଇଟି ପିସ୍ତଲ ନେଇ ସ୍କୁଲ୍‌ ଭିତରକୁ କୌଣସିମତେ ପ୍ରବେଶ କରିଥିଲା । ଏହାପରେ ଆଖିବୁଜା ଗୁଳିଚାଳନା ଆରମ୍ଭ କରିଥିଲା । ଆକ୍ରମଣକାରୀ ଏକ କଳା ଟି-ସାର୍ଟ ମଧ୍ୟ ପିନ୍ଧିଥିଲା, ଯେଉଁଥିରେ ନାଜି ଚିହ୍ନ ରହିଛି । ଏହି ଘଟଣାକୁ ନେଇ ସାରା ଦେଶରେ ସପ୍ଟେମ୍ବର ୨୯ ତାରିଖରେ ଶୋକ ଦିବସ ପାଳନ କରାଯିବ । ସେପଟେ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍‌ ଏହି ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ।