ବର୍ଷର ପ୍ରଥମ ମନ କି ବାତ୍ ସୋ, ଜଳ ସଂରକ୍ଷଣ ଓ ଖେଲୋ ଇଣ୍ଡିଆ ପ୍ରସଙ୍ଗରେ ମୋଦୀଙ୍କ ମନ୍ତ୍ର

ନୂଆଦିଲ୍ଲୀ,ଏଜେନ୍ସି: ୨୦୨୦ ବର୍ଷର ପ୍ରଥମ ‘ମନ କି ବାତ’ ସୋ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଳ ସଂରକ୍ଷଣ ଓ ଖେଲୋ ଇଣ୍ଡିଆ ପ୍ରସଙ୍ଗରେ ନିଜର ମତ ରଖିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀ ତଥା ବିଦେଶରେ ରହୁଥିବା ଭାରତୀୟଙ୍କୁ ଗଣତନ୍ତ୍ର ପର୍ବର ଶୁଭେଚ୍ଛା ଓ ଅଭିନ୍ଦନ ଜଣାଇଛନ୍ତି । ଏଥିସହ ଆମେ କିଛି କରି ଦେଖାଇ ପାରିବା ‘ କ୍ୟାନ ଉଇ ଡୁ..’,ଏହା ଏବେ ଏକ ସଙ୍କଳ୍ପ ପାଲଟି ଯାଇଛି ବୋଲି କହିଛନ୍ତି।

ପୂର୍ବରୁ ‘ମନ କି ବାତ’ କାର୍ଯ୍ୟକ୍ରମ ଦିନ ୧୧ଟା ବେଳେ ଆକାଶବାଣୀରେ ପ୍ରସାରିତ ହେଉଥିବାବେଳେ ଆଜି ସାଧାରଣତନ୍ତ୍ର ଦିବସ ଥିବାରୁ ତାହାକୁ ସଂଧ୍ୟାରେ ପ୍ରସାରିତ କରାଯାଇଛି । ସେ କହିଛନ୍ତି ଯେ ଗତ ମୌସୁମୀ ଋତୁରେ ଆରମ୍ଭ ହୋଇଥିବା ଜଳ ଶକ୍ତି ଅଭିଯାନ ଇତି ମଧ୍ୟରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ସବୁଠାରୁ ବଡ଼କଥା ହେଉଥି ସମାଜର ସବୁ ବର୍ଗର ଲୋକେ ଏଥିରେ ସହଯୋଗ କରୁଛନ୍ତି । ଏହି ଅବସରରେ ସେ ଉତ୍ତରାଖଣ୍ଡ ରାଜ୍ୟ ଆଲମୋଡ଼ାର ସୁନିଆକୋଟ ଗାଁର ଉଦାହରଣ ଦେଇଥିଲେ । ଗତ ୨୨ ତାରିଖରେ ସମାପ୍ତ ହୋଇଥିବା ଖେଲୋ ଇଣ୍ଡିଆ ସଂପର୍କରେ ସେ କହିଛନ୍ତି ଯେ କ୍ରୀଡ଼ା ପାଇଁ ଯୁବପିଢିଙ୍କ ଆକର୍ଷଣ ବଢିଚାଲିଛି ।

ମୋଦୀ ଏହି ଅବସରରେ ‘ଖେଲୋ ଇଣ୍ଡିଆ ବିଶ୍ୱ ବିଦ୍ୟାଳୟ କ୍ରୀଡ଼ା’ ସଂପର୍କରେ ଘୋଷଣା କରିଥିଲେ । ପ୍ରଥମ ‘ଖେଲୋ ଇଣ୍ଡିଆ ବିଶ୍ୱ ବିଦ୍ୟାଳୟ କ୍ରୀଡ଼ା’ ଫେବ୍ରୁଆରି ୨୨ରୁ ମାର୍ଚ୍ଚ ୧ ମଧ୍ୟରେ ଓଡ଼ିଶାର ଭୁବନେଶ୍ୱର ଓ କଟକରେ ଅନୁଷ୍ଠିତ ହେବ ।