ମାଙ୍ଗାଲୁରୁ : ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା ବେଳେ ଗୁରୁବାର ସନ୍ଧ୍ୟାରେ ପୁଲିସ୍ ଗୁଳିରେ ପ୍ରାଣ ହରାଇଥିବା ଦୁଇ ମୃତକଙ୍କ ପରିବାର ବର୍ଗ ଓ ଆହତ ହୋଇଥିବା ଆନ୍ଦୋଳନକାରୀଙ୍କୁ ଭେଟିବାକୁ ଯାଇଥିବା ବରିଷ୍ଠ କଂଗ୍ରେସ ନେତାମାନଙ୍କର ଏକ ପ୍ରତିନିଧି ମଣ୍ଡଳୀକୁ ମାଙ୍ଗାଲୁରୁ ପୁଲିସ୍ ଏଥିପାଇଁ ଅନୁମତି ନଦେଇ ଏମାନଙ୍କୁ ଅଟକ ରଖିବା ଘଟଣାକୁ କେନ୍ଦ୍ରକରି ଏକ ରାଜନୈତିକ ବିବାଦ ସୃଷ୍ଟି ହୋଇଛି। ଏଥିସହ ଏହି ଘଟଣାକୁ କେନ୍ଦ୍ର କରି କଂଗ୍ରେସ ଓ ବିଜେପି ମୁହାଁମୁହିଁ ହୋଇଛନ୍ତି।
କର୍ଣ୍ଣାଟକ ବିଧାନସଭାରେ ବିରୋଧୀ ଦଳ ନେତା ଥିବା ବରିଷ୍ଠ କଂଗ୍ରେସ ନେତା ଏସ୍ ଆର୍ ପାଟିଲ, ପୂର୍ବତନ ଗୃହମନ୍ତ୍ରୀ ତଥା ବିଧାୟକ ଏମ୍ ବି ପାଟିଲ, ପୂର୍ବତନ ବାଚସ୍ପତି ତଥା ବିଧାୟକ କେ ଆର ରମେଶ କୁମାର ଓ ପୂର୍ବତନ ସାଂସଦ ଭି ଏସ୍ ଉଗାରାପ୍ପା ଆଜି ଏକ ସ୍ୱତନ୍ତ୍ର ବିମାନରେ ଆସି ପୁଲିସ୍ ଗୁଳିରେ ପ୍ରାଣ ହରାଇଥିବା ଦୁଇ ମୃତକଙ୍କ ପରିବାର ବର୍ଗ ଓ ଆହତ ହୋଇଥିବା ଆନ୍ଦୋଳନକାରୀଙ୍କୁ ଭେଟିବାକୁ ମାଙ୍ଗାଲୁରୁ ବିମାନ ବନ୍ଦରରେ ପହଞ୍ଚିଥିଲେ। ତେବେ, ଏ ଖବର ପାଇବା ମାତ୍ରେ ମାଙ୍ଗାଲୁରୁ ପୁଲିସ୍ର ବରିଷ୍ଠ ଅଧିକାରୀମାନେ ସେମାନଙ୍କୁ ଅଟକ ରଖିବା ସହ ପୁଲିସ୍ ଭ୍ୟାନରେ ବସାଇ କୌଣସି ଅଜ୍ଞାତ ସ୍ଥାନକୁ ନେଇ ଯାଇଥିଲେ। ତେବେ, ପୁଲିସ୍ର ଏପ୍ରକାର ଆଚାରଣକୁ ବିରୋଧୀ ଦଳ ନେତା ଥିବା ବରିଷ୍ଠ କଂଗ୍ରେସ ନେତା ଏସ୍ ଆର୍ ପାଟିଲ ତୀବ୍ର ବିରୋଧ କରିବା ସହ ପୁଲିସ୍ ଅଧିକାରୀଙ୍କ ସହ ଯୁକ୍ତିତର୍କ ମଧ୍ୟ କରିଥିଲେ।