ଟ୍ରକ ଧକ୍କାରେ ଯୁବକ ମୃତ

ଦେବଗଡ଼,ଏନ୍ଏନ୍ଏସ୍: କୁଣ୍ଢେଇଗୋଳା ଥାନା ସିଆରିମାଳିଆ ଗ୍ରାମଦେଇ ଯାଇଥିବା ରାଞ୍ଚି-ବିଜୟାୱାଡା ଜାତୀୟ ରାଜପଥରେ ଗତକାଲି ରାତିରେ ଏକ ୧୦ଚକିଆ ଟ୍ରକ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଖିଲେଇ ଗ୍ରାନର ପବିତ୍ର ବେହେରାଙ୍କ ପୁଅ ପଞ୍ଚାନନ ବେହେରା ଗତକାଲି ରାତିରେ କୁକୁଡା କିଣିବାପାଇଁ ନିକଟସ୍ଥ ସିଆରିମାଳିଆ ଗ୍ରାମକୁ ସାଇକେଲରେ ଆସି ରାସ୍ତା କଡରେ ଛିଡା ହୋଇଥିଲେ। ଏହି ସମୟରେ ଅନଗୁଳରୁ ଦେବଗଡ଼ ଅଭିମୁଖେ ଆସୁଥିବା ଏକ ଟ୍ରକ ତାଙ୍କୁ ଧକ୍କାଦେଇ ତାଙ୍କ ଉପରେ ଚଢି ଯାଇଥିଲା। ଫଳରେ ଘଟଣାସ୍ଥଳରେ ପଞ୍ଚାନନଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଗ୍ରାମବାସୀ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ। ସୂଚନା ପାଇ ଖଇରପାଲି ଫାଣ୍ଡି ଅଧିକାରୀ ବିଜୟ କୁମାର ଦେହୁରୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାପରେ ରାସ୍ତାରୋକ ହଟିଥିଲା। ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିବା ସହ ଚାଳକକୁ ଅଟକ ରଖିଛି। ଆଜି ମୃତଦେହ ବ୍ୟବଚ୍ଛଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।