ମର୍ଣ୍ଣିଂୱାକ୍ ପାଇଁ ଯାଉଥିବା ବେଳେ ଆଇନଜୀବୀଙ୍କୁ ଚାପି ଦେଲା ଟ୍ରକ୍

ସମ୍ବଲପୁର,ଏନ୍ଏନ୍ଏସ୍: ସମ୍ବଲପୁର ଜିଲ୍ଲା ଏନ୍ଏଚ୍-୫୩ର ସର୍ଲାପାଲି ଛକ ନିକଟରେ ଆଜି ସକାଳେ ସଡ଼କ ଦୁର୍ଘଟଣା ଘଟିଛି। ମର୍ଣ୍ଣିଂୱାକ୍ କରିବାକୁ ଯାଉଥିବା ବେଳେ ଜଣେ ବରିଷ୍ଠ ଆଇନଜିବୀଙ୍କ ଉପରେ ଅଙ୍ଗୁର ବୋଝେଇ ଟ୍ରକ୍‌ ମାଡ଼ି ଯାଇଛି। ମୃତ ବ୍ୟକ୍ତି ଜଣଙ୍କ ସାକ୍ଷୀପଡ଼ା ଅଞ୍ଚଳର ଉମେଶ ଚନ୍ଦ୍ର ପ୍ରଧାନ।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ଓ ଆଇନଜୀବୀ ରାସ୍ତାରୋକ କରିଛନ୍ତି। ଏହାସହ ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ଟି ଜାଳି ଦେଇଛନ୍ତି। ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି। ରାସ୍ତାରୋକ ଫଳରେ ଉଭୟ ପାର୍ଶ୍ୱରେ ଗାଡ଼ିମଟର ଅଟକି ରହିଛି।

ଦୁର୍ଘଟଣା ପରେ ଟ୍ରକ୍ ଛାଡ଼ି ଗାଡ଼ି ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୁଲିସ ଟ୍ରକ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି। ମୃତଦେହକୁ ଉଦ୍ଧାର ବ୍ୟବଚ୍ଛେଦ ପାଇଁ ପଠାଇଛି।

ଟ୍ରାଫିକ ବ୍ୟବସ୍ଥା ନଥିବାରୁ ଏପରି ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଟ୍ରାଫିକ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।