ପୁଲିସ ମାଡ଼ରେ ଯୁବକ ଗୁରୁତର, ପୁଲିସ ନିଲମ୍ବିତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ଚନ୍ଦନିମାଲ ଗ୍ରାମର ସୁଧାଂଶୁ ସେଠ୍(୩୫) ପୁଲିସ ମାଡ଼ରେ ଗୁରୁତର ଭାବେ ଆହତ ହୋଇ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏନେଇ ଗାନ୍ଧିଛକ ଫାଣ୍ଡିର ଏଏସ୍ଆଇ ହୀରାଧର ବେହେରାଙ୍କୁ ଜିଲ୍ଲା ଆରକ୍ଷୀ ଅଧିକାରୀ ରାହୁଳ ପିଆର ନିଲମ୍ବିତ କରିଛନ୍ତି।
ସୂଚନାନୁଯାୟୀ, ସୁଧାଂଶୁ ଚନ୍ଦନୀମାଲସ୍ଥିତ ମେଗା ନର୍ସରୀରେ ରତ୍ରି ଜଗୁଆଳୀ ଭାବରେ କାର୍ଯ୍ୟ କରନ୍ତି। ଗତ ଶୁକ୍ରବାର ରାତିରେ ବିଦ୍ୟୁତ ଚାଲି ଯାଇଥିବାବେଳେ ଏଠାରୁ ଏକ ପାଣି ମଟର ଚୋରି ହୋଇଯାଇଥିଲା। ଏନେଇ ବନ ବିଭାଗ ଅଧିକାରୀ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ତଦନ୍ତ ପାଇଁ ଶନିବାର ରାତିରେ ଗାନ୍ଧିଛକ ଫାଣ୍ଡିରେ କାର୍ଯ୍ୟରତ ଏଏସ୍ଆଇ ହୀରାଧର ବେହେରା ଓ ବ୍ରଜରାଜନଗରର କିଛି ପୁଲିସ କର୍ମଚାରୀ ମେଗା ନର୍ସରୀକୁ ଆସିଥିଲେ। ପଚରା ଉଚୁରା କରିବା ସମୟରେ ସେଠାରେ ଥିବା ସୁଧାଂଶୁ ଓ ଅନ୍ୟ ତିନି ଜଣ ରାତ୍ରି ଜଗୁଆଳିଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏହି ସମୟରେ ପୁଲିସର ଲାଠି ମାଡ଼ରେ ସୁଧାଂଶୁଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ପୁଲିସ ଘଟଣାକୁ ଲୁଚାଇବା ପାଇଁ ଚେତାଶୂନ୍ୟ ଅବସ୍ଥାରେ ସୁଧାଂଶୁଙ୍କୁ ମଣ୍ଡଳିଆ ଚିକିତ୍ସାଳୟରେ ଭର୍ତ୍ତି କରି ଚାଲି ଯାଇଥିଲା। ଏବିଷୟରେ ଖବର ପାଇ ପରିବାର ଲୋକେ ମଣ୍ଡଳିଆକୁ ଆସି ସେଠାରୁ ତାଙ୍କୁ ବୁର୍ଲ୍ଲା ଡାକ୍ତରଖାନକୁ ନେଇଥିଲେ। ବୁର୍ଲାରେ ୨ ଦିନ ଚିକିତ୍ସା ପରେ ସୁଧାଂଶୁଙ୍କ ଚେତା ଆସିଥିଲେ ହେଁ ସେ କଥାବାର୍ତ୍ତା କରିପାରୁ ନାହାନ୍ତି ବୋଲି ତାଙ୍କ ବଡ଼ ଭାଇ ହିମାଂଶୁ କହିଛନ୍ତି। ଏନେଇ ସ୍ଥାନୀୟ ଲୋକେ ମେଗା ନର୍ସରୀ ଚନ୍ଦନୀମାଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସାଧାରଣଲୋକଙ୍କ ଉପରେ ଦାଉ ସାଧୁଥିବା ପୁଲିସ କର୍ମଚାରୀଙ୍କ ଉପରେ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଆହତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ବିକ୍ଷୋଭକାରୀ ଦାବି କରିଛନ୍ତି।