୨୮ରେ ମୋଦୀଙ୍କୁ ଭେଟିବେ ଦିଦି

  • କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜୁଲାଇ ୨୮ରେ ନୂଆଦିଲ୍ଲୀ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ। ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ଭେଟିବାର ସମ୍ଭାବନା ରହିଛି। ତେବେ ସେହି ବୈଠକକୁ ନେଇ ସବିଶେଷ ତଥ୍ୟ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ।
    ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ମମତା ବାନାର୍ଜୀ କହିଛନ୍ତି, ‘ମୁଁ ଦୁଇ-ତିନି ଦିନ ପାଇଁ ଦିଲ୍ଲୀ ଯିବି। ସେଠାରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବି। ମୋତେ ତାଙ୍କର ସମୟ ମିଳିସାରିଛି। ମୁଁ ରାଷ୍ଟ୍ରପତିଙ୍କୁ ମଧ୍ୟ ଭେଟିବି।’ ବାତ୍ୟା ୟସର କ୍ଷୟକ୍ଷତିର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ କରିଥିବା ବୈଠକରୁ ଅଧାରୁ ଉଠି ଚାଲିଆସିବା ପରେ ଏହା ମମତା ବାନାର୍ଜୀଙ୍କ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଥମ ବ୍ୟକ୍ତିଗତ ବୈଠକ ହେବ।
    ସଂସଦର ମୌସୁମୀ ଅଧିବେଶନ ଚାଲିଥିବାବେଳେ ମମତା ବାନାର୍ଜୀ ଏହି ମାସର ଶେଷ ସପ୍ତାହରେ ଦୁଇରୁ ତିନି ଦିନ ନୂଆଦିଲ୍ଲୀ ଗସ୍ତ କରିବେ। ତେବେ ତାଙ୍କ ଭ୍ରମଣର କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ।