ହସ୍ପିଟାଲରୁ ଭିଡିଓ ଜାରି କଲେ ମମତା

କୋଲକାତା: ନନ୍ଦୀଗ୍ରାମରେ କଥିତ ଆକ୍ରମଣର ଶିକାର ହୋଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏସଏସକେଏମ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଇତିମଧ୍ୟରେ ମମତା ଏକ ଭିଡିଓ ଜାରି କରି ଟିଏମସି କର୍ମକର୍ତ୍ତାଙ୍କୁ ଶାନ୍ତି ବଜାୟ ରଖିବାକୁ ଆହ୍ୱାନ ଦେଇଛନ୍ତି। ଏଥିସହିତ ହାତ ଓ ଗୋଡ଼ରେ ଯନ୍ତ୍ରଣା ହେଉଥିବା ମମତା ଉଲ୍ଲେଖ କରିଛନ୍ତି।

ମମତା କହିଛନ୍ତି ଯେ, କାର୍ଯ୍ୟକର୍ତ୍ତା ଏମିତି କିଛି ନକରନ୍ତୁ ଯଦ୍ୱାରା ସ୍ଥିତି ବିଗିଡ଼ିବ। ସ୍ୱାସ୍ଥ୍ୟବସ୍ଥା ଭଲ ହେଲେ ପ୍ରଚାର କରିବି। ମୁଁ ଆଶା କରୁଛି କି ୨ରୁ ୩ ଦିନ ମଧ୍ୟରେ ପୁଣିଥରେ ଫେରିବି। ସଭାରେ ମଧ୍ୟ ଭାଗ ନେବି। ଗୋଡ଼ର ଯନ୍ତ୍ରଣା ଅଛି କିନ୍ତୁ ସମ୍ଭାଳି ଦେବି। ବୋଧହୁଏ କିଛିଦିନ ହ୍ୱିଲଚେୟାରରେ ରହିବା ପାଇଁ ପଡ଼ିପାରେ।

ସୂଚନାଯୋଗ୍ୟ, ମମତାଙ୍କ ଉପରେ ଆକ୍ରମଣ ହେବା ପରେ ନିର୍ବାଚନ ଆୟୋଗ ସ୍ଥାନୀୟ ଅଧିକାରୀଙ୍କୁ ରିପୋର୍ଟ ମାଗିଛନ୍ତି। ପ୍ରଚାର ଅଭିଯାନରୁ ମମତାଙ୍କୁ ଦୂରେଇ ରଖିବା ଲାଗି ଏହା ଏକ ଚକ୍ରାନ୍ତ ବୋଲି ଟିଏମସି ଆରୋପ ଲଗାଇଛି। ଅନ୍ୟପଟେ ଏହି ମାମଲାରେ ବିଜେପି ସିବିଆଇ ତଦନ୍ତ ଦାବି କରିଛି।