ବରିଷ୍ଠ କଂଗ୍ରେସ ନେତା କମଲନାଥଙ୍କୁ ଭେଟିଲେ ଦୀଦୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଦିଲ୍ଲୀରେ ବରିଷ୍ଠ କଂଗ୍ରେସ ନେତା କମଲନାଥଙ୍କୁ ଭେଟିଛନ୍ତି। ଏହି ସମୟରେ ୨୦୨୪ ଲୋକସଭା ନିର୍ବାଚନ ରଣନୀତିକୁ ନେଇ ଚର୍ଚ୍ଚା ହୋଇଥିଲା। ମମତା ଏବେ ୫ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ସ୍ତରରେ ବଡ଼ ଭୂମିକା ନିର୍ବାହ କରିବା ପାଇଁ ତୃଣମୂଳ କଂଗ୍ରେସ ଜୋରଦାର ପ୍ରସ୍ତୁତି ଚଲାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଚଳିତ ବର୍ଷ ତୃତୀୟ ଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବା ପରେ ଏହା ହେଉଛି ମମତାଙ୍କର ପ୍ରଥମ ଦିଲ୍ଲୀ ଗସ୍ତ। ତୃଣମୂଣ କଂଗ୍ରେସ ତରଫରୁ ଜାରି ହୋଇଥିବା କାର୍ଯ୍ୟକ୍ରମ ଅନୁସାରେ, ମମତା ଆଜି ଅପରାହ୍ନ ୪ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ। ବୁଧବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିପାରନ୍ତି। ଏଥିସହିତ ଅନ୍ୟ ବିରୋଧୀ ଦଳ ନେତାଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।