ଷଣ୍ଢ ଆକ୍ରମଣରୁ ମମତା ଅଳ୍ପକେ ବର୍ତ୍ତିଲେ

କୋଲକାତା, ଏଜେନ୍ସି: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରବିବାର ହାୱଡାରେ ଏକ ରୋଡ୍ ଶୋ’ କରୁଥିବାବେଳେ ଅଳ୍ପକେ ଷଣ୍ଢ ଆକ୍ରମଣରୁ ବର୍ତ୍ତି ଯାଇଥିବା ଜଣାପଡିଛି। ହାୱଡାର କାଜିପାଡାଠାରୁ ସମ୍ମଳନୀ ପାର୍କ ପର୍ଯ୍ୟନ୍ତ ଏହି ରୋଡ୍ ଶୋ’ ଆୟୋଜିତ ହୋଇଥିବାବେଳେ ମମତା ହ୍ୱିଲଚେୟାରରେ ବସି ଏହାର ନେତୃତ୍ୱ ନେଉଥିଲେ। ଏହି ରାଲିରେ ସହସ୍ରାଧିକ ସଂଖ୍ୟାରେ ତୃଣମୂଳ କଂଗ୍ରେସ କର୍ମୀ, ନେତା ଓ ପ୍ରାର୍ଥୀ ଯୋଗଦେଇଥିଲେ। ତେବେ ଗନ୍ତବ୍ୟସ୍ଥଳରୁ ପ୍ରାୟ ୨୦୦ ମିଟର ଦୂରରେ ହଠାତ୍ ଏକ ଷଣ୍ଢ ଆକ୍ରମଣାତ୍ମକ ମୁଦ୍ରାରେ ରାଲି ମଧ୍ୟକୁ ପଶିଆସିଥିଲା। ଏପରିକି ମମତାଙ୍କ ସୁରକ୍ଷା ବଳୟ ଭେଦ କରିବାକୁ ମଧ୍ୟ ଷଣ୍ଢଟି ଉଦ୍ୟମ କରିଥିଲା। ସୁରକ୍ଷାକର୍ମୀମାନେ ଘଉଡାଇବାକୁ ଉଦ୍ୟତ ହେଉଥିବାବେଳେ ଉତ୍ତ୍ୟକ୍ତ ଷଣ୍ଢ ବାରମ୍ବାର ସେମାନଙ୍କ ଆଡକୁ ମାଡିଆସିଥିଲା। ଷଣ୍ଢ ଉତ୍ପାତରେ ଟିଏମ୍ସି କର୍ମୀ ଛତ୍ରଭଙ୍ଗ ଦେଇଥିବାବେଳେ ସୁରକ୍ଷାକର୍ମୀମାନେ ମମତାଙ୍କୁ ନିରାପଦ ଦୂରତାକୁ ନେଇଯାଇଥିଲେ।