ଏନ୍ଆରସି ମାମଲାରେ ଶାହଙ୍କୁ ଭେଟି ଚିଠି ଦେଲେ ମମତା

କୋଲକାତା,ଏଜେନ୍ସି: ନୂଆଦିଲ୍ଲୀ ଗ୍ରସ୍ତରେ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ପୂର୍ବାହ୍ଣରେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି। ଗୃହମନ୍ତ୍ରୀଳୟଠାରେ ଶାହଙ୍କୁ ଭେଟି ମମତା ଏନ୍ଆର୍ସି ସମ୍ପର୍କିତ ଏକ ଏକ ପତ୍ର ଦେଇଛନ୍ତି। ଏନ୍ଆରସିରୁ ବାଦ୍ ପଡ଼ିଥିବା ଲୋକମାନେ ହେଉଛନ୍ତି ହିନ୍ଦୀ, ବଙ୍ଗଳା ଏବଂ ଆଞ୍ଚଳିକ ଆସମିଜ୍ ଭାଷାଭାଷୀ ଲୋକ। ତେଣୁ ଏନ୍ଆରସି ତାଲିକାରୁ ବାଦ୍ ପଡ଼ିଥିବା ନାଗରିକଙ୍କୁ ଅପିଲ କରିବାକୁ ଆଉ ଏକ ସୁଯୋଗ ଦେବା ଦରକାର ବୋଲି ପତ୍ର ମାଧ୍ୟମରେ ଗୃହମନ୍ତ୍ରୀଙ୍କୁ ଜଣାଇଛନ୍ତି ମମତା।

ତେବେ ସେ ପଶ୍ଚିମବଙ୍ଗ ଏନ୍ଆରସି ତାଲିକା ବିଷୟରେ ଶାହଙ୍କୁ କିଛି କହିନାହାନ୍ତି। ପଶ୍ଚିମବଙ୍ଗରେ ଏନ୍ଆରସି ଲାଗୁ କରାଯିବାର କୌଣସି ଆବଶ୍ୟକତା ନଥିବା କଥା ପୂର୍ବରୁ ସ୍ପଷ୍ଟ କରିଦେଇଥିବା କଥା କହିଛନ୍ତି ମମତା। ତେବେ ଏ ଚିଠିର ଉତ୍ତର ସମ୍ପର୍କରେ ଶାହଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ।