ମାଣ୍ଡିଆର ବହୁଳ ବ୍ୟବହାର ଦ୍ୱାରା କୁପୋଷଣ ଦୂର ହେବ : ଜିଲ୍ଲାପାଳ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଗତ ମାର୍ଚ୍ଚ ୨୦ ତାରିଖରୁ ଅପ୍ରେଲ ୧୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ପାଳନ କରାଯାଉଥିବା ପୋଷଣ ପକ୍ଷ ଉଦଯାପିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ତରଫରୁ ସ୍ଥାନୀୟ ମିଶନ ଶକ୍ତି ସଭାଗୃହରେ ଜିଲ୍ଲାପାଳ ଡା. କମଳଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସ୍ୱର୍ଣ୍ଣଲତା ବିଶ୍ୱାସ ଜିଲ୍ଲାରେ ଅତି ଉତ୍ତମ ଭାବରେ ପୋଷଣ ପକ୍ଷ ପାଳିତ ହୋଇଥିବାରୁ ଜିଲ୍ଲାର ସମସ୍ତ ଅଧିକାରୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏଥିରେ ଜିଲ୍ଲାପାଳ ଡା. ମିଶ୍ର ସମାଜରୁ କୁପୋଷଣକୁ ସମ୍ପୂର୍ଣ୍ଣ ରୂପେ ଦୂରେଇବାକୁ ହେଲେ ବିଶେଷ କରି ମା’ ଓ ଶିଶୁଙ୍କର ପୋଷଣ ନିମନ୍ତେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ସେହିପରି ନୀତିଦିନିଆ ସୁସ୍ଥ ଖାଦ୍ୟ ପାଇଁ ଶ୍ରୀଅନ୍ନ ମାଣ୍ଡିଆର ବହୁଳ ବ୍ୟବହାର କରିବାକୁ ପରାମର୍ଶ ଦେଇଥଲେ । ଅନ୍ୟତମ ଅତିଥି ଭାବେ ଜିଲ୍ଲା କୃଷି ଅଧିକାରୀ ଗୋକୁଳ ବେହେରା ଯୋଗଦେଇ ବର୍ତ୍ତମାନ ସମୟରେ ବଜାରରେ ମିଳୁଥିବା ପାଷ୍ଟଫୁଡ ପ୍ରତି ପିଲାଙ୍କ ଆଗ୍ରହକୁ କମାଇ ସ୍ଥାନୀୟ ଅଞ୍ଚଳରେ ମିଳୁଥିବା କ୍ଷୁଦ୍ରଶସ୍ୟ ଯଥା ମାଣ୍ଡିଆ, ବାଜରା ଓ ମକାରେ ଖାଦ୍ୟ ପ୍ରସ୍ତୁତ କରି ପିଲାଙ୍କୁ ଦେବାକୁ ବୁଝାଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଳଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ଚିକିତ୍ସାଧିକାରୀ ଡା. ବେହେରା, ପ୍ରୋଟେସନ ଅଫିସର ବାଳା ପଦ୍ମା, ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ମାଲେଶ୍ୱରୀ ସାହୁ, ସିଡିପିଓ ଏସେ ଗୀତା, ସୁରମା ମହାପାତ୍ର, ଶୈଳେନ୍ଦ୍ରି ମହାନନ୍ଦ, ଗୀତା ମହାରଣା, ସଂଯୁକ୍ତା ବେହେରା, ଗୀତାଞ୍ଜଳି ମିଶ୍ର, ଜିଲ୍ଲା ମମତା ସଂଯୋଜକ ବିଶ୍ୱଜିତ ମହାନ୍ତି , ଜିଲ୍ଲା ମିଲେଟ ମିସନ ସଂଯୋଜକ ମୃତ୍ୟୁଞ୍ଜୟ କନ୍ଧପାଣି, ସହାୟକ ମିଲେଟ ମିସନ ସଂଯୋଜକ ବି ରାଜେଶ୍ୱର ରେଡ୍ଡୀ ଓ ପୋଷଣ ସଂଯୋଜକ ହେମରାଜ ଦଣ୍ଡସେନା ଆଲୋଚନାରେ ଅଂଶଗ୍ରହଣ କରି ଜିଲ୍ଲାରେ କୁପୋଷଣକୁ କିପରି ସମ୍ପୂର୍ଣ୍ଣ ରୂପେ ଶେଷ କରାଯିବ ସେନେଇ ନିଜର ମତାମତ ପ୍ରଦାନ କରିଥିଲେ । ଏହି ଅବସରରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ମାଣ୍ଡିଆରେ ପ୍ରସ୍ତୁତ ବିଭିନ୍ନ ପ୍ରକାର ପୋଷଣଯୁକ୍ତ ଖାଦ୍ୟ ପଦର୍ଶନ କରାଯାଇଥିଲା । ଶେଷରେ ପ୍ରଦର୍ଶନୀରେ ଭାଗ ନେଇଥିବା ସ୍ୱୟଂ ସହାୟକ ଗୋଷ୍ଠୀ, ଜିଲ୍ଲାରେ ପୋଷଣ ପକ୍ଷରେ ଭଲ ପ୍ରଦର୍ଶନ କରିଥିବା ଅଙ୍ଗନବାଡି କର୍ମୀ, ବକୃତା ପ୍ରତିଯୋଗୀତାରେ ଭାଗ ନେଇଥିବା କୃତି କିଶୋରୀଙ୍କୁ ଜିଲ୍ଲାପାଳ ଡା. ମିଶ୍ର ମାନପତ୍ର ସହିତ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ଶେଷରେ ନନ୍ଦହାଣ୍ଡି ସିଡିପିଓ ସସ୍ମିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।