କାଳିଆ ଯୋଜନାରେ ଆକାଉଣ୍ଟ ଖୋଲିବା ନାମରେ ଠକେଇ: ଜଣେ ଗିରଫ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ମୋଟୁ ଥାନା ପୁଲିସ ଠକେଇ ଅଭିଯୋଗରେ ଜଣକୁ ଗିରଫ କରିଛି। ସୂଚନା ଅନୁସାରେ, ଗତ ୨୪ ତାରିଖରେ ମୋଟୁ ଥାନା ଏମଭି-୭୫ ଗ୍ରାମର ସରଜିତ ମଣ୍ଡଳଙ୍କ ସହ ୨ ଜଣ ବ୍ୟକ୍ତି ମାଡତାଳଗୁଡ଼ା ଗ୍ରାମକୁ ଯାଇ ନିଜକୁ ଫିନୋ ବ୍ୟାଙ୍କର କର୍ମଚାରୀ ବୋଲି ପରିଚୟ ଦେଇଥିଲେ। ଏହାପରେ କାଳିଆ ଯୋଜନାରେ ଆକାଉଣ୍ଟ ଖୋଲିଦେବେ କହି ଗ୍ରାମବାସୀଙ୍କ ବିଶ୍ୱାସଭାଜନ ହୋଇଥିଲେ। ପରେ ଗ୍ରାମର ୯୦ ଜଣଙ୍କଠାରୁ ସେମାନଙ୍କ ଆଧାର କାର୍ଡ, ଜମି ପଟ୍ଟା, ରାସନ କାର୍ଡ, ବ୍ୟାଙ୍କ ପାସବୁକ ସଂଗ୍ରହ କରିବା ସହ ଶହେ ଟଙ୍କା ଲେଖାଏଁ ୯ ହଜାର ଟଙ୍କା ଆଦାୟ କରିଥିଲେ।

ଏଥିସହ ୪୧ ଜଣ ଗ୍ରମାବାସୀଙ୍କ ଟିପ ଚିହ୍ନ ନେଇଥିଲେ। ତେବେ ସେହିଦିନ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇଥିବା ନେଇ ମୋବାଇଲରେ ମେସେଜ ଆସିଥିଲା। ପରଦିନ ଟିପଚିହ୍ନ ଦେଇଥିବା ଉକ୍ତ ୪୧ ଜଣଙ୍କ ଆକାଉଣ୍ଟରୁ ୯୧ ହଜାର ଟଙ୍କା ଉଠାଣ ହୋଇଥିବା ଜାଣିବାକୁ ପାଇଥିଲେ। ଗ୍ରାମବାସୀଙ୍କ ସନ୍ଦେହ ହେବାରୁ ବ୍ୟାଙ୍କ କର୍ମଚାରୀ ପରିଚୟ ଦେଇଥିବା ବ୍ୟକ୍ତିଙ୍କ ମୋବାଇକୁ ଫୋନ କରିଥିଲେ। ହେଲେ ସେମାନେ ଫୋନ ଉଠାଇନଥିଲେ। ଏ ସମ୍ପର୍କରେ ଏତଲା ଦେବାପରେ ମୋଟୁ ଥାନା ପୁଲିସ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ଆଜି ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ କାର, ଲ୍ୟାପଟପ, ମାବାଇଲ ଓ ବହୁ କାଗତପତ୍ର ଜବତ କରିଥିବା ମାଲକାନଗିରି ଏସଡିପିଓ ପ୍ରହଲ୍ଲାଦ ସହାଇ ମୀନା ପ୍ରକାଶ କରିଛନ୍ତି।