ଭଉଣୀ ହାତରୁ ରାଖୀ ବାନ୍ଧିବା ପାଇଁ ସଂଗଠନ ଛାଡ଼ିଲେ ହାଡକୋର ମାଓବାଦୀ

ମାଲକାନଗିରି,ଏନ୍ଏନ୍ଏସ୍: ଭଉଣୀ ହାତରୁ ରାଖୀ ବାନ୍ଧିବା ପାଇଁ ସଂଗଠନ ଛାଡିଲେ ହାର୍ଡକୋର ମାଓବାଦୀ। ଭଉଣୀର ମମତାର ଡୋରି ତାଙ୍କୁ ଭଲ ବାଟକୁ ନେଇଆସିଛି ।

ଏମିତି ଏକ ଘଟଣା ଆଜି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା ଜିଲ୍ଲାରେ ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ମାଓ ଆଦର୍ଶରେ ଅନୁପ୍ରାଣିତ ହୋଇ ୧୨ ବର୍ଷ ପୂର୍ବେ ମାଓ ସଂଗଠନରେ ସାମିଲ ହୋଇଥିଲେ ଦୁର୍ଦ୍ଦାନ୍ତ ମାଓବାଦୀ ମହ୍ଲା ତାମୋ। ପରିବାର ଠାରୁ ଦୂରେଇ ରହିଲେ ମଧ୍ୟ ସେ ତାଙ୍କ ଭଉଣୀଙ୍କୁ ଭୁଲି ପାରୁନଥିଲେ।  ଆଜି ମହ୍ଲା ଭଉଣୀ ଲିଙ୍ଗେ ହାତରୁ ରାଖୀ ବାନ୍ଧିବା ପାଇଁ ଆସିଥିବାବେଳେ ତାଙ୍କ ଭଉଣୀ ଏକ ସର୍ତ୍ତ ରଖିଥିଲେ। ସେ କହିଥିଲେ ତୁମେ ଯଦି ପୁଲିସ ନିକଟରେ ଆତ୍ମସମର୍ପଣ କରିବ ତେବେ ତୁମ ହାତରେ ରାଖୀ ବାନ୍ଧିବି। ଭଉଣୀର ଏହି କଥାରେ ରାଜି ହୋଇ ମହ୍ଲା ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲା।  ପ୍ରକାଶ ଥାଉକି, ମହ୍ଲା ପଶ୍ଚିମ ବସ୍ତର ଏରିଆ କମିଟିର ପ୍ଲାଟୁନ ନମ୍ବର ୧୩ର ଡେପୁଟି କମାଣ୍ଡର ଥିଲେ। ତାଙ୍କୁ ଧରିବା ପାଇଁ ସରକାର ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ।