ଡିଡାୟୀ ଜନଜାତିଙ୍କ ପୌଷ ପର୍ବ: ପରସ୍ପରକୁ ଝାଟିରେ ମାରି କରନ୍ତି ରୋଷର ଅନ୍ତ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏଠାରେ ଗାଦବା, କୋୟା, ସାନ୍ତାଳି ସମେତ ବଣ୍ଡା ଓ ଡିଡାୟୀ ଜନଜାତି ଭଳି ଅନେକ ସମ୍ପ୍ରଦାୟ ବସବାସ କରନ୍ତି। ଏହି ସମ୍ପ୍ରଦାୟଗୁଡ଼ିକର ମଧ୍ୟ ଅନେକ ପ୍ରକାର ପର୍ବପର୍ବାଣୀ ରହିଛି। ତେବେ ଆଦିମ ଡିଡାୟୀ ଜନଜାତିର ମଧ୍ୟ ବହୁ ପର୍ବ ରହିଛି। ଏହି ଜନଜାତିର ପୌଷ ପର୍ବରେ ପରସ୍ପର ମଧ୍ୟରେ ଭାଇଚାରା ଓ ପ୍ରେମଭାବ ବଢାଇବା ପାଇଁ କାହିଁ କେଉଁ କାଳରୁ କଣ୍ଟକିତ ଝାଟିରେ ପରସ୍ପରକୁ ଆଘାତ ଦେଇଥାନ୍ତି। ଆଘାତ ଦେଇ ଏମାନେ ଭାଇଚାରାର ସମ୍ପର୍କ ସ୍ଥାପନ କରନ୍ତି। ଜିଲ୍ଲାର ଖଇରପୁଟ ବ୍ଲକସ୍ଥିତ ଅରିଙ୍ଗିି ଗ୍ରାମରେ ଡିଡାୟୀ ସମ୍ପ୍ରଦାୟ ଲୋକେ ବସବାସ କରନ୍ତି।

ପ୍ରତିବର୍ଷ ଏହି ସମ୍ପ୍ରଦାୟର ଲୋକେ ନିଜଗାଁ ଲୋକଙ୍କ ସହ ମିଶି ପୌଷପର୍ବ ପାଳନ କରୁଥିବାବେଳେ ଚଳିତବର୍ଷ ମଧ୍ୟ ପାଳନ କରିଛନ୍ତି। ଏହି ପର୍ବରେ ଗାଁ ଲୋକେ ପରସ୍ପର ମଧ୍ୟରେ ବର୍ଷ ସାରା ହୋଇଥିବା କଳି ବା ଗୋଣ୍ଡଗୋଳକୁ ସମାଧାନ କରିବାକୁ ପରସ୍ପରକୁ ସଲପ ଗଛର ସରୁ କଣ୍ଟକିତ ଝାଟିରେ ମାଡ଼ ମାରିଛନ୍ତି। ସମସ୍ତେ ନିଜ ନିଜର ରାଗକୁ ଭୁଲି ପରସ୍ପର ମଧ୍ୟରେ ପୁଣି ଥରେ ମିଶିଯିବା ସହ ସେହି ଝାଟିକୁ ନେଇ ଗ୍ରାମଦେବୀ ନିକଟରେ ରଖି କିପରି ଭଲରେ ରହିବେ ସେନେଇ ଗୁହାରି କରନ୍ତି।