ମାଲକାନଗିରି,ଏନ୍ଏନ୍ଏସ୍: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିବାବେଳେ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଜିଲ୍ଲାର ପାଙ୍ଗାମ୍ ନଦୀ, ତମସା, ପୋଟେରୁ, ସିଲେରୁ ସାବେରୀ ଆଦି ନଦୀର ଜଳସ୍ତର ବୃଦ୍ଧି ପାଇଥିବାରୁ ତଳିଆ ଅଞ୍ଚଳ ପ୍ରଭାବିତ ହୋଇଛି। ଏଣୁ ମୋଟୁ ଅଞ୍ଚଳ ପାଇଁ ବିପଦ ଘନେଇବାରେ ଲାଗିଛି। ଆନ୍ଧ୍ର ପ୍ରଦେଶରେ ନିର୍ମାଣାଧିନ ପୋଲାଭରମ ପ୍ରକଳ୍ପ ଯୋଗୁଁ ବ୍ୟାକ ୱାଟର ପ୍ରଭାବରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ତେଣୁ ମୋଟୁ ସ୍ଥିତ ମୁଗି ପଏଣ୍ଟରେ ଥିବା ମଧୁସୂଦନ ପାର୍କ ନିକଟରେ ପ୍ରାୟ ୧ ଫୁଟ ନଦୀଜଳ ଚାଲି ଆସିଛି। ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କ କରି ଦିଆଯାଇଛି। ଏଥିସହ ସମ୍ପୃକ୍ତ ଅଞ୍ଚଳର ୪ଟି ପରିବାରକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଏହାସହ ଛତିଶଗଡ଼ର ସୁକୁମା ଜିଲ୍ଲାର ଏରାବୋର ନିକଟସ୍ଥ ଇନ୍ଦ୍ରମ ମୁଖ୍ୟ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହୋଇ ରାୟପୁର, ସୁକୁମା ଠାରୁ ହାଇଦ୍ରାବାଦ ମଧ୍ୟରେ ଯୋଗଯୋଗ ବିଚ୍ଛିନ୍ନ ହୋଇଛି।