ନୂପୁର ଶର୍ମାଙ୍କ ମିଳୁନି ପତ୍ତା, ଖୋଜୁଛି ମୁମ୍ବାଇ ପୁଲିସ

ନୂଆଦିଲ୍ଲୀ,ଏଜେନ୍ସି: ବିଜେପିରୁ ନିଲମ୍ବିତ ନେତ୍ରୀ ନୂପୁର ଶର୍ମା ହଠାତ କେଉଁ ଆଡେ ଉଭାନ ହୋଇଯାଇଛନ୍ତି। ଧାର୍ମିକ ବିବାଦୀୟ ମନ୍ତବ୍ୟ ପରେ ଗତ ମେ ୨୮ରେ ତାଙ୍କ ବିରୋଧରେ ମୁମ୍ବାଇ ପୁଲିସ ଏକ ମାମଲା ରୁଜୁ କରିଥିଲା। ପୁଲିସର ଏକ ଟିମ ତାଙ୍କୁ ପଚରାଉଚରା କରିବାକୁ ଦିଲ୍ଲୀ ଆସିଥିଲା। କିନ୍ତୁ ତାଙ୍କର କୌଣସି ପତ୍ତା ମିଳୁନଥିବା ସୂଚନା ମିଳିଛି । ଗତ ପାଞ୍ଚଦିନ ଧରି ମୁମ୍ବାଇ ପୋଲିସ ନୂପୁର ଶର୍ମାଙ୍କୁ ଖୋଜୁଛି।

କିନ୍ତୁ ଏପର୍ଯ୍ୟନ୍ତ ପାଇନାହିଁ। ତେବେ ତାଙ୍କୁ ଗିରଫ କରିବା ଲାଗି ମୁମ୍ବାଇ ପୁଲିସ ପାଖରେ ପର୍ଯ୍ୟାପ୍ତ ପ୍ରମାଣ ଥିବା ମହାରାଷ୍ଟ୍ର ଗୃହ ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ ପାଇଛି। ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ନେଇ ନୂପୁର ଶର୍ମାଙ୍କୁ ଗୋଟିଏ ପରେ ଗୋଟିଏ ପରେ ଗୋଟିଏ ସମନ ଜାରି କରିବାରେ ଲାଗିଛି ଏକାଧିକ ପୁଲିସ। ସେହି କ୍ରମରେ କୋଲକାତା ପୁଲିସ ତାଙ୍କୁ ସମନ ଜାରି କରିଛି।

ଜୁନ ୨୦ରେ ସେ କୋଲକାତାର ନାରକେଲଦଙ୍ଗା ପୋଲିସ ଷ୍ଟେସନରେ ହାଜର ହୋଇ ମାମଲାରେ ପକ୍ଷ ରଖିବାକୁ ନିର୍ଦ୍ଦେଶ ରହିଛି। ଦିଲ୍ଲୀ ପୁଲିସ ମଧ୍ୟ ନୂପୁରଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏଭଳିକି ବିଭିନ୍ନ ଦେଶରେ ମଧ୍ୟ ତାଙ୍କ ଗିରଫ ନେଇ ପ୍ରତିବାଦ ଜୋର ଧରିଛି।