ଟୋକିଓ,ଏଜେନ୍ସି: ବକ୍ସିଂ କ୍ବାର୍ଟର ଫଇନାଲରେ ଲଭଲିନା ବୋର୍ଗହେନଙ୍କ ଦମଦାର ବିଜୟ ହୋଇଛି। ଚାଇନିଜ ତାଇପେଇର ନିଏନ-ଚିନଙ୍କୁ ହରାଇଲେ ଲଭଲିନା। ଏଥିସହ ଟୋକିଓ ଅଲମ୍ପିକର ମହିଳା ୱେଲ୍ଟର (୬୪-୬୯ କିଲୋଗ୍ରାମ) ବର୍ଗରେ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ସେ ଅଲମ୍ପିକ ଡେବ୍ୟୁ କରିଥିବା ଆସାମ ବକ୍ସର।
ଏହି ବିଜୟ ସହ ସେ ସେମିଫାଇନାଲରେ ପ୍ରବେଶ କରିବା ସହିତ ଭାରତ ପାଇଁ ଅତିକମରେ ଏକ ବ୍ରୋଞ୍ଜ ପଦକ ନିଶ୍ଚିନ୍ତ କରିଛନ୍ତି। ବକ୍ସିଂରେ ୨ ଜଣ ସେମିଫାଇନାଲିଷ୍ଟଙ୍କୁ ବ୍ରୋଞ୍ଜ ପଦକ ମିଳିବାର ନିୟମ ରହିଛି।
ପ୍ରଥମ ରାଉଣ୍ଡରେ ଚାଇନିଜ ପ୍ରତିଯୋଗୀ ଲଭଲିନାଙ୍କୁ ଦମଦାର ପଞ୍ଚ୍ ସହ ୩-୨ରେ ବିଜୟୀ ହୋଇଥିଲେ। ମାତ୍ର ପରବର୍ତ୍ତୀ ଦୁଇଟି ରାଉଣ୍ଡରେ ଜବରଦସ୍ତ କମବ୍ୟାକ କରିଥିଲେ ଲଭଲିନା। ଦ୍ୱିତୀୟ ଓ ତୃତୀୟ ରାଉଣ୍ଡକୁ ଜିତିବା ସହ ସେମିଟିକେଟ ହାସଲ କରିଥିଲେ।