କରୋନା ତୃତୀୟ ଲହର ରୋକିବାକୁ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟପକ ଚେକିଂ

ଦେବଗଡ଼,ଏନ୍ଏନ୍ଏସ୍: କରୋନା ତୃତୀୟ ଲହର ସମ୍ଭାବ୍ୟ ଆଶଙ୍କାକୁ ଦୃଷ୍ଟିରେ ରଖି ଦେବଗଡ଼ ଜିଲ୍ଲା ପୁଲିସ ପକ୍ଷରୁ ପୁଣିଥରେ ଚେକିଂକୁ ଜୋରଦାର କରାଯାଇଛି। ଗତକାଲି ରାତିରୁ ଆରମ୍ଭ କରାଯାଇଥିବା ଏହି ଚେକିଂରେ ଖୋଦ ଦେବଗଡ଼ ଏସପି ରାଜକିଶୋର ପାଇକରାୟ ସହର ସାରା ବୁଲି ଜନସାଧାରଣଙ୍କୁ ସଚେତନ କରିବା ସହ କରୋନା ଗାଇଡଲାଇନ ଉଲଂଘନ କରୁଥିବା ଆମାନିଆଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ପୂର୍ବାହ୍ଣରେ ଦେବଗଡ଼ ଥାନା ଅଧିକାରୀ ସୁରେନ୍ଦ୍ର କୁମାର ନାୟକଙ୍କ ନେତୃତ୍ୱରେ ଦେବଗଡ଼ ଥାନା ପୁଲିସ ସହରରେ ବିଭିନ୍ନ ଅଞ୍ଚଳରେ ଚେକିଂକୁ ଜୋରଦାର କରିବା ସହ ଅମାନିଆଙ୍କ ଠାରୁ ୪ଟି ମୋବାଇଲ ଫୋନ ସମେତ ୨୦ ହାଜର ଟଙ୍କା ଜୋରିମାନା ଆଦାୟ କରିଥିବା ଜଣାପଡିଛି। ସେହିପରି ଏସପି ଶ୍ରୀ ପାଇକରାୟ ଜନଗହଳି ପୂର୍ଣ୍ଣ ମୁଖ୍ୟ ବଜାର ଠାରେ ପହଞ୍ଚି ଜନସାଧାରଣ ଓ ବିଭିନ୍ନ ଦୋକାନୀଙ୍କୁ ଗହଳି ନ କରିବାକୁ ସଚେତନ କରିବା ସହ ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ପାଳନ କରିବା ପାଇଁ ସଚେତନ କରୁଥିବା ଦେଖିବାକୁ ମିଳିଛି।