ନୂଆଦିଲ୍ଲୀ,ଏଜେନ୍ସି : ୨୦୨୦ ନୂତନ ବର୍ଷରେ ଭାରତୀୟ ରେଳବାଇ ଯାତ୍ରୀଙ୍କ ପାଇଁ ଖୁସିର ଖବର ଆଣିଦେଇଛି। ଭାରତର ପ୍ରଥମ ଘରୋଇ ଟ୍ରେନ୍ ଭାବେ ପରିଚିତ ତେଜସ୍ ଏକ୍ସପ୍ରେସ୍ରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ରେଳବାଇ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହି ବ୍ୟବସ୍ଥା ଅନୁସାରେ ତେଜସ୍ ଏକ୍ସପ୍ରେସ୍ରେ ଯାତ୍ରା କରିବା ବେଳେ ଯଦି କୌଣସି ଯାତ୍ରୀଙ୍କ ଘରୁ ଚୋରି ହୁଏ ତେବେ ସଂପୃକ୍ତ ଯାତ୍ରୀଙ୍କୁ ରେଳବାଇ କର୍ତ୍ତୃପକ୍ଷ ୧ ଲକ୍ଷ ଟଙ୍କାର କ୍ଷତି ପୂରଣ ଦେବେ। ଯାହାକି ଭାରତୀୟ ରେଳବାଇ ଇତିହାସରେ ପ୍ରଥମ ଏବଂ ଯାତ୍ରୀଙ୍କ ପାଇଁ ମଧ୍ୟ ଅବିସ୍ୱାଶନୀୟ।
ଯାତ୍ରୀମାନଙ୍କୁ ଏହି କ୍ଷତି ପୂରଣ ଦେବା କ୍ଷେତ୍ରରେ ରେଳବାଇ ଯାତ୍ରୀମାନଙ୍କୁ ଠାରୁ ବୀମା ବାବଦରେ କୌଣସି ଅତିରିକ୍ତ ଦେୟ ନେବ ନାହିଁ। ଭାରତୀୟ ରେଳବାଇର ସହଯୋଗୀ ଉଦ୍ୟୋଗ ଆଇଆର୍ସିଟିସି ଏଥିପାଇଁ ଲିବର୍ଟି ଜେନେରାଲ ଇନ୍ସ୍ୟୁରାନ୍ସ ଫର୍ ଇନ୍ସ୍ୟୁରାନ୍ସ କମ୍ପାନୀ ସହ ବୁଝାମଣା କରିଥିବା ବେଳେ ଯାତ୍ରୀମାନଙ୍କୁ ଉପରୋକ୍ତ ସୁବିଧା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛି। ଏହାବ୍ୟତୀତ ନୂଆ ବର୍ଷରେ ଭାରତରେ ଦ୍ୱିତୀୟ ତେଜସ୍ ଏକ୍ସପ୍ରେସ୍ ଚଳାଚଳ ପାଇଁ ଆଇଆର୍ସିଟିସି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।
ଭାରତରେ ପ୍ରଥମ ଘରୋଇ ଟ୍ରେନ୍ ଭାବେ ତେଜସ୍ ଏକ୍ସପ୍ରେସ୍ ଚଳାଚଳ କରୁଥିବା ବେଳେ ଆସନ୍ତା ୧୭ ତାରିଖରେ ଦ୍ୱିତୀୟ ରୁଟ୍ ଭାବେ ଅହମ୍ମଦାବାଦ୍ ରୁ ମୁମ୍ବାଇ ସେଣ୍ଟ୍ରାଲ ପର୍ଯ୍ୟନ୍ତ ଏହି ଶ୍ରେଣୀର ଟ୍ରେନ୍ ପରୀକ୍ଷାମୂଳକ ଭାବେ ଚଳାଚଳ ଆରମ୍ଭ କରିବା ସହ ୧୯ ତାରିଖରୁ ସମ୍ପୂର୍ଣ୍ଣ ଭାବେ ଏବଂ ନିୟମିତ ଚଳାଚଳ କରିବ ବୋଲି ଆଇଆର୍ସିଟିସି ପକ୍ଷରୁ ସୂଚନା ଦିଆଯାଇଛି।